ଝଙ୍କଡ, ୩୦ ଜୁନ୍: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମରେ ଅଧିଷ୍ଠିତ ଦାରୁବ୍ରହ୍ମ ପୀଠରେ ଆୟୋଜିତ ତ୍ରିଦିବସୀୟ ଚତୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ ଓ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅତି ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି। ଧ୍ୟାନକୁଦ ପିଠାଧୀଶ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ଣ୍ଣିତ ଏହି ପୀଠରେ ଗତ ଜୁନ୍ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ଗତକାଲି ସୋମବାର ରାତ୍ରୀ ୧୦ ଘଟିକା ସମୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। ବୈଦିକ ରୀତିନୀତି ଅନୁସାରେ ଘଟସ୍ଥାପନ, ଗୋପୂଜା, ସୂର୍ଯ୍ୟପୂଜା, ଦଶଦିଗପାଳ ପୂଜା ଓ ଶାଲାପୂଜା ଆଦି ସମ୍ପନ୍ନ ହେବା ପରେ ଯଜ୍ଞ ନାରାୟଣଙ୍କ ପୂଜା ଓ ଆହୁତି ପ୍ରଦାନ କରାଯାଇ ବିଶ୍ଵଶାନ୍ତିର ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ ନିଜେ ପୂର୍ଣ୍ଣାହୁତୀ ପ୍ରଦାନ କରିବା ସହିତ ପ୍ରତି ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ। ପଣ୍ଡିତ ସୁବାସ ଚନ୍ଦ୍ର ଦାଶ ଯଜ୍ଞର ମୁଖ୍ୟ ପୁରୋଧା ଥିବା ବେଳେ ସୂର୍ଯ୍ୟ ନାରାୟଣ ରାଉତ ଓ ପ୍ରଜିତା ରାଉତ ଯଜ୍ଞ କର୍ତ୍ତା ଓ କର୍ତ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ଏହି ପବିତ୍ର କାର୍ଯ୍ୟକ୍ରମରେ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଅନେକ ଶ୍ରଦ୍ଧାଳୁ ଯୋଗଦେଇ ଦାରୁବ୍ରହ୍ମଙ୍କ ଆଶିଷ ଲାଭ କରିଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ଆୟୋଜିତ ଭଜନ ସମାରୋହ ଓ ପ୍ରବଚନକୁ ସ୍ଥାନୀୟ ଅଞ୍ଚଳବାସୀ ଭରପୁର ଉପଭୋଗ କରିଥିଲେ। ଏହି ଭବ୍ୟ ଆୟୋଜନକୁ ସଫଳ କରିବାରେ ଆୟୋଜକ କମିଟିର ସଭାପତି ରମାକାନ୍ତ ରାଉତ, ସମ୍ପାଦକ ନିତ୍ୟାନନ୍ଦ ସାମଲ, କୋଷାଧ୍ୟକ୍ଷ ନୃସିଂହ ଚରଣ ରାଉତଙ୍କ ସମେତ ସକ୍ରିୟ ସଦସ୍ୟ ପ୍ରମୋଦ କୁମାର ରାଉତ, ଖୁଲଣା ସ୍ୱାଇଁ, ସୁବ୍ରଜିତ ରାଉତରାୟ, ସୌମ୍ୟ ରଞ୍ଜନ 베ହେରା, ବିଷ୍ଣୁ ଚରଣ ରାଉତ, ଅରୁଣ କୁମାର ସାମଲ ଓ ସୁଶୀଲ କୁମାର ସାହୁ ପ୍ରମୁଖ କନିମୂଳ ଗ୍ରାମର ଯୁବକ ଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ କମିଟିରେ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ ମୁଖ୍ୟ ଉପଦେଷ୍ଠା ଥିବା ବେଳେ ବ୍ରାହ୍ମଚାରୀ ବିପିନ ବାବା ମୁଖ୍ୟ ସଂଯୋଜକ ଭାବେ ଗୁରୁ ଦାୟିତ୍ୱ ବହନ କରି ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ। କନିମୂଳ ଗ୍ରାମର ସମସ୍ତ ଜନସାଧାରଣଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଚତୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ ସମଗ୍ର ଅଞ୍ଚଳ ପାଇଁ ଆଶୀର୍ବାଦର କାରଣ ହୋଇପାରିଛି ବୋଲି ସଭାପତି ରମାକାନ୍ତ ରାଉତ ସୂଚନା ଦେଇଛନ୍ତି।
