କଟକରେ କଙ୍ଗାରୁ କୋର୍ଟ : ପୂର୍ବଶତ୍ରୁତାରୁ ନାବାଳକଙ୍କୁ ଉଲଗ୍ନ କରି ମାଡ଼, ଭିଡ଼ିଓ ଭାଇରାଲ୍‌

କଟକ
Spread the love

କଟକ: କଟକ ଚାଉଳିଆଗଞ୍ଜ ଅଂଚଳରେ କଙ୍ଗାରୁ କୋର୍ଟ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଭିଡ଼ିଓ ସମ୍ପ୍ରତି ଭାଇରାଲ୍‌ ହେବାରେ ଲାଗିଛି। ମାଡ଼ମାରିଥିବା ଯୁବକମାନେ ହିଁ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ପୀଡ଼ିତ ନାବାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁାସରେ, ଦୁଇ ଦିନ ପୂର୍ବେ ଏହି ଘଟଣା ଘଟିଥିଲା। ମାଡ ଖାଉଥିବା ନାବାଳକ ସେବେଠୁ ଘରକୁ ଆସୁ ନଥିଲେ। ଆଜି ସେ ଘରକୁ ଫେରିଥିଲେ। ଏହି ସମୟରେ ତାଙ୍କୁ ଉଲଗ୍ନ କରି ମାଡ଼ ମରାଯାଉଥିବା ଭିଡିଓକୁ ପରିବାର ଲୋକ ଦେଖି ପଚାରିଥିଲେ। ପରେ ନାବାଳକଙ୍କ ଠାରୁ ସମସ୍ତ କଥା ଶୁଣି ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୂର୍ବ ଶତୃତାରୁ ଏପରି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ନାବାଳକର ମା’ ଙ୍କ କହିବାନୁସାରେ, ପୁଅ ମଠ ସାହିରେ ରହୁଥିବା ସାଙ୍ଗଙ୍କୁ ଭେଟିବାକୁ ପ୍ରାୟତଃ ଯାଇଥାନ୍ତି। କିଛି ଦିନ ତଳେ ଥଟାରୀ ସାହିରେ ଏକ ବ୍ୟାଟେରୀ ଚୋରି ମାମଲାରେ ତାଙ୍କ ପୁଅଙ୍କୁ ସନ୍ଦେହ କରୁଥିଲେ। ଦୁଇଦିନ ପୂର୍ବେ ତାଙ୍କ ପୁଅ ଥଟାରି ସାହିକୁ ଯାଇଥିବା ବେଳେ ୫ରୁ ଅଧିକ୍ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଛୁରା ଦେଖାଇ ଉଲଗ୍ନ କରି ଗାଁଦାଣ୍ଡରେ ଛାଡ଼ିଦେଇଥିଲେ। ଏହି ଆକ୍ରମଣ ଓ ଭିଡ଼ିଓ ଭାଇରାଲ୍‌ କରିବାରେ ୪୨ନଂ ୱାର୍ଡ କର୍ପୋରେଟରଙ୍କ ପୁତୁରା ମଧ୍ୟ ସମ୍ପୃକ୍ତ ‌ଅଛି ବୋଲି ପୀଡ଼ିତ ନାବାଳକଙ୍କ ମା’ ଅଭିଯୋଗ କରିଛନ୍ତି।
ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏସିପି ସୁଧାଂଶୁ ଜେନା କହିଛନ୍ତି, କଙ୍ଗରୁ କୋର୍ଟ ଭଳି ଏକ ସଙ୍ଗୀନ ମାମଲାର ତଦନ୍ତରେ ଯାହା ବିରୋଧରେ ପ୍ରମାଣ ଆସିବ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *