ବାଙ୍କୀ ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ ଜିଲା ଖବର ରାଜ୍ୟ
Spread the love

ବାଙ୍କୀ, ୮/୧୦: ବାଙ୍କୀ କଚେରି ପଡ଼ିଆଠାରେ ଆୟୋଜିତ ବାଙ୍କୀ ମହୋତ୍ସବ-୨୦୨୫କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ବାଙ୍କୀର ଐତିହ୍ୟ ଓ ଇତିହାସ ସଂପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ଆନ୍ଦୋଳନଠାରୁ ସମବାୟ ଆନ୍ଦୋଳନ ଯାଏଁ ବାଙ୍କୀର ଅବଦାନ ଓଡ଼ିଶାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏ ମାଟିର ଅନେକ ସୁଯୋଗ୍ୟ ସନ୍ତାନମାନେ ସମାଜ ସଂସ୍କାର, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଗୌରବାଜ୍ୱଳ ଅତୀତ ସହ ବର୍ତ୍ତମାନର ପ୍ରଗତିଶୀଳ ଓଡ଼ିଶାର ଚିତ୍ରକୁ ଯୁବପିଢ଼ିଙ୍କ ପାଖରେ ଉପସ୍ଥାପନ କରାଇବା ପାଇଁ ବାଙ୍କୀ ମହୋତ୍ସବର ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ।

କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡ଼ିଶାର ଋଦ୍ଧିମନ୍ତ ଐତିହ୍ୟ ପରମ୍ପରା, ଇତିହାସ, ଭୂଗୋଳରେ ବାଙ୍କୀର ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଛି ବୋଲି କହିଥିଲେ। ବିଧାୟକ ତଥା ମହୋତ୍ସବର ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ବାଙ୍କୀ ମହୋତ୍ସବ ଅବସରରେ ଏହି ମାଟିକୁ ଗରୀୟାନ୍‌ କରିବାରେ ଅତୁଳନୀୟ ଅବଦାନ ଥିବା ବୀରାରାଣୀ ଶୁକଦେଈ, ସମାଜ ସଂଗଠକ ଗୋବିନ୍ଦ ରଥ, ଓଡ଼ିଆ ସଂସ୍କୃତିର ଦିଗ୍‌ଦର୍ଶକ ନୀଳମଣି ବିଦ୍ୟାରତ୍ନ, ରାୟବାହାଦୁର ବିଦ୍ୟାଧର ପଣ୍ଡାଙ୍କ ଭଳି ପୁଣ୍ୟାତ୍ମାଙ୍କୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଙ୍କୀ ବିକାଶ ମଞ୍ଚ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ବାଙ୍କୀ ମହୋତ୍ସବ ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ୨୫ବର୍ଷରେ ପଦାର୍ପଣ କରିଥିବା ବାଙ୍କୀ ମହୋତ୍ସବ ଆଜି ଯୁବକତ୍ୱ ଲାଭ କରିଛି ଓ ବାଙ୍କୀ ଜନତାଙ୍କ ସାହାଯ୍ୟ ସହଯୋଗରେ ଆଜି ମହୋତ୍ସବ ପ୍ରାଣବନ୍ତ ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଉତ୍ସବରେ ଡାକ୍ତର ହରିହର ପଣ୍ଡା ଓ ନ୍ୟାୟମୂର୍ତ୍ତି ନିଶାମଣି ପୃଷ୍ଟିଙ୍କୁ ଚର୍ଚ୍ଚିକା ସମ୍ମାନ ପ୍ରଦାନ କରାଯାଇଥିଲା। କବି କୌଶିକ ନାୟକଙ୍କ ଦ୍ୱାରା ସଂପାଦିତ ବାଙ୍କୀ ମହୋତ୍ସବର ସ୍ମରଣିକା ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ମହୋତ୍ସବର ସମ୍ପାଦକ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ। ଦେବୀରଂଜନ ତ୍ରିପାଠୀଙ୍କ ନେତୃତ୍ବରେ ମହୋତ୍ସବ ଜ୍ୟୋତିକୁ କଚେରି ପଡ଼ିଆରେ ସ୍ଥାପନ କରାଯାଇଥିଲା। ଜ୍ୟୋତିଯାତ୍ରାରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତି ମହାପାତ୍ର, ଆଶିଷ ସାହୁ ପ୍ରମୁଖ ସାମିଲ ଥିଲେ। ମା’ଚର୍ଚ୍ଚିକାଙ୍କ ଆଜ୍ଞାମାଳ ଓ ଜ୍ୟୋତି ମା’ ଚର୍ଚ୍ଚିକା ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଅଣାଯାଇ ବାଙ୍କୀ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏନ୍‌ଏସି ନଗରପାଳ ମାଣିକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *