ଏଲନିନୋ ନେଇ ଜାତିସଂଘର ଭୟଙ୍କର ଚେତାବନୀ, ଭୋକରେ ଆଉଟୁପାଉଟୁ ହେବେ ୪ କୋଟିରୁ ଅଧିକ ଲୋକ !

ରାଜ୍ୟ
Spread the love

ନୂଆଦିଲ୍ଲୀ :  ଏଲ୍-ନିନୋକୁ ନେଇ ବଢ଼ିଲା ବିଶ୍ୱ ଚିନ୍ତା। ମିଳିତ ଜାତିସଂଘର ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ବା WFP ବୁଧବାର ଏକ ଚିନ୍ତାଜନକ ରିପୋର୍ଟ ଦେଇଛି। ସଂସ୍ଥା କହିଛି ଶକ୍ତିଶାଳୀ ଏଲ୍-ନିନୋ ପ୍ରଭାବ ଯୋଗୁ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏକ ବଡ଼ ଖାଦ୍ୟ ସଂକଟ ଦଖା ଦେବ। ବିଶ୍ୱର ପ୍ରାୟ ୪ କୋଟି ୯୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହେବେ। ୧୯୫୦ ପରେ ଏଗା ସବୁଠୁ ଶକ୍ତିଶାଳୀ ଏଲ୍-ନିନୋ ହୋଇପାରେ।
୨୦୨୭ ଶେଷ ସୁଦ୍ଧା ବିଶ୍ୱରେ ଏକ ଶକ୍ତିଶାଳୀ ଏଲ୍-ନିନୋ ପ୍ରଭାବ ଦେଖାଦେବାର ୮୧ ପ୍ରତିଶତ ସମ୍ଭାବନା ଥିବା ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ WFP ବୁଧବାର ଏକ ରିପୋର୍ଟ ଜାରି କରି କହିଛି। ପ୍ରଶାନ୍ତ ମହାସାଗରର ସମୁଦ୍ର ପୃଷ୍ଠର ତାପମାତ୍ରା ୧୯୮୨ ପରଠାରୁ ସର୍ବାଧିକ ସ୍ତରରେ ରହିଛି ଏବଂ ଏହା ୧୯୫୦ ପରେ ସବୁଠୁ ଶକ୍ତିଶାଳୀ ଏଲ୍-ନିନୋ ହୋଇପାରେ। ଏହାର ପ୍ରଭାବରେ ବିଶ୍ୱରେ ଅତିରିକ୍ତ ୪୯ ମିଲିଅନ ଲୋକେ ଖାଦ୍ୟ ସଂକଟରେ ସାମ୍ମୁଖୀନ ହେବେ।
ଏଲ୍-ନିନୋ ଯୋଗୁ ଦକ୍ଷିଣ ଆଫ୍ରିକାରେ ମରୁଡ଼ି, ଏସିଆର କିଛି ଅଞ୍ଚଳରେ ବିଳମ୍ବିତ ମୌସୁମୀ ବର୍ଷା ଏବଂ ଅନ୍ୟ ଅଞ୍ଚଳରେ ଅସ୍ୱାଭାବିକ ବର୍ଷା ହେବାର ଆଶଙ୍କା ରହିଛି। WFP ୪୫ଟି ସମ୍ବେଦନଶୀଳ ଦେଶକୁ ନେଇ କରିଥିବା ବିଶ୍ଳେଷଣରେ କହିଛି, ତୀବ୍ର ଖାଦ୍ୟ ଅସୁରକ୍ଷିତ ଲୋକଙ୍କ ସଂଖ୍ୟା ୨୨ ପ୍ରତିଶତ ବଢ଼ି ୨୭ କୋଟି ୪୦ ଲକ୍ଷରେ ପହଞ୍ଚିପାରେ। ଏହି ସମସ୍ୟା ଆଗକୁ ବଡ଼ଧରଣର ଖାଦ୍ୟ ସଂକଟ ସୃଷ୍ଟି କରିବ ବୋଲି WFPର ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାର ବିଶ୍ଳେଷଣ ସେବାର ନିର୍ଦ୍ଦେଶକ ଜିନ୍-ମାର୍ଟିନ୍ ବାଉର୍ ସାମ୍ବାଦିକମାନଙ୍କୁ କହିଛନ୍ତି।
ମଧ୍ୟ ଆମେରିକା ଓ ଦକ୍ଷିଣ ଆଫ୍ରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ। ମଧ୍ୟ ଆମେରିକାରେ ଖାଦ୍ୟ ଅସୁରକ୍ଷିତ ଲୋକଙ୍କ ସଂଖ୍ୟା ୮୩ ପ୍ରତିଶତ ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରାୟ ୭୫ ପ୍ରତିଶତ ବଢ଼ିବାର ଆକଳନ କରାଯାଇଛି। ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ କାରିବିଆନ୍ ଅଞ୍ଚଳରେ ୧ କୋଟି ୨୦ ଲକ୍ଷରୁ ଅଧିକ ନୂଆ ଲୋକ ଖାଦ୍ୟ ସଙ୍କଟରେ ପଡ଼ିପାରନ୍ତି।
WFP କହିଛି, ପୂର୍ବ ଆଫ୍ରିକା, ସାହେଲ୍, ମଧ୍ୟ ଆମେରିକା ଓ କାରିବିଆନରେ ବର୍ଷା କମ୍ ହେବାର ଆଶଙ୍କା ଥିବା ବେଳେ ସୋମାଲିଆ ଓ ଏହାର ପଡ଼ୋଶୀ ଅଞ୍ଚଳରେ ବନ୍ୟା ବିପଦ ବଢ଼ିପାରେ। ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟ ମରୁଡ଼ି, ଅସମାନ ମୌସୁମୀ ବର୍ଷା ଓ ସ୍ଥାନୀୟ ବନ୍ୟା କୃଷି ଉତ୍ପାଦନକୁ ପ୍ରଭାବିତ କରିପାରେ।
WFP ଜୋର ଦେଇ କହିଛି ଯେ, ଏଲ୍-ନିନୋର ପ୍ରଭାବ ଅଞ୍ଚଳ ଭେଦରେ ଭିନ୍ନ ହୋଇପାରେ। ତେଣୁ ସରକାର ଓ ରିଲିଫ୍ ଏଜେନ୍ସିମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ। ସଂସ୍ଥା ଏପର୍ଯ୍ୟନ୍ତ ୧୮ଟି ଦେଶରେ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଜୋରଦାର କରି ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ନଗଦ ସହାୟତା ଓ ଅନ୍ୟାନ୍ୟ ସହଯୋଗ ଯୋଗାଇସାରିଛି।

Leave a Reply

Your email address will not be published. Required fields are marked *