ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ସରସଂଘଚାଳକ ମୋହନ ଭାଗବତ ଗୁରୁବାର ଦେଶର ଯୁବପିଢ଼ି, ବିଶେଷକରି ଜେନ୍-ଜି (Gen Z) ଓ ଜେନ୍-ଆଲଫା (Gen Alpha)ଙ୍କ ପ୍ରଶଂସା କରିଛନ୍ତି। ସେ ଜେନ୍-ଜିଙ୍କ ଉପରେ ଆଖି ବୁଝି ବିଶ୍ୱାସ କରେ ବୋଲି କହିଛନ୍ତି। ଏହା ସହ ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀମାନଙ୍କର ପ୍ରତିବାଦ କରିବାର ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଅଧିକାର ରହିଛି। ଛାତ୍ରଛାତ୍ରୀମାନେ ପ୍ରତିବାଦ କଲେ ସେମାନେ ଦେଶ ବିରୋଧୀ ହୋଇଯାଆନ୍ତି ନାହିଁ ବୋଲି ଭାଗବତ କହିଛନ୍ତି।
ନିକଟରେ ଛାତ୍ର ଆନ୍ଦୋଳନ ଉପରେ ପୁଲିସର ଲାଠି ଚାର୍ଜକୁ ନେଇ ମଧ୍ୟ ସେ ମତ ରଖିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଗବତ କହିଛନ୍ତି ଯେ, ସମ୍ପ୍ରତି ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ଘଟଣାର ପ୍ରକୃତ ପରିସ୍ଥିତି ସମ୍ପର୍କରେ ତାଙ୍କ ପାଖରେ ସଠିକ୍ ସୂଚନା ନାହିଁ। ତଥାପି ଦେଶର ଯୁବପିଢ଼ି ପ୍ରତି ତାଙ୍କର ବିଶ୍ୱାସ ଅଟୁଟ ରହିଛି ବୋଲି ଭାଗବତ କହିଛନ୍ତି। ସେ କହିଛନ୍ତି ମୁଁ ଜେନ୍-ଜି ଉପରେ ଆଖିବୁଜି ବିଶ୍ୱାସ କରିପାରିବି। ସେମାନଙ୍କର ଉଦ୍ଦେଶ୍ୟ ଓ ଆକାଂକ୍ଷା ଉପରେ ମୋର ପୂର୍ଣ୍ଣ ଭରସା ଅଛି।”
ଛାତ୍ର ଆନ୍ଦୋଳନକୁ ଉଚିତ ଦର୍ଶାଇ ମୋହନ ଭାଗବତ କହିଛନ୍ତି ଯେ, ଗଣତନ୍ତ୍ରରେ ଆଲୋଚନା ଓ ସହମତି ଗଠନ ପାଇଁ ପ୍ରତିବାଦ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ସୁଧାରର ଆବଶ୍ୟକତା ରହିଛି ଏବଂ ଯୁବପିଢ଼ିର ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ଉଚିତ। ସେ କହିଛନ୍ତି ଯେ, ପୂର୍ବ ପିଢ଼ି କ୍ୱଚିତ୍ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରୁଥିଲେ। କିନ୍ତୁ ଆଜିର ଜେନ୍-ଜି ଓ ଜେନ୍-ଆଲଫା ଯୁକ୍ତିଯୁକ୍ତ ଉତ୍ତର ଚାହୁଁଛନ୍ତି ଏବଂ ତାହା ମଧ୍ୟ ସକାରାତ୍ମକ ଭାବରେ।
ଆରଏସଏସ୍ ମୁଖ୍ୟ କହିଛନ୍ତି ଯେ ସେ କେବେ ମଧ୍ୟ ଜେନ୍-ଜିକୁ ପ୍ରତିବାଦ ନ କରିବାକୁ କହିବେ ନାହିଁ। ହେଲେ ପ୍ରତିବାଦ ଗଣତାନ୍ତ୍ରିକ ପଦ୍ଧତିରେ ହେବା ଆବଶ୍ୟକ। ତାଙ୍କ କହିବା ଅନୁସାରେ, ଯଦି ଯୁବପିଢ଼ି ରାସ୍ତାକୁ ଓହ୍ଲାଇଛନ୍ତି, ତେବେ ସେମାନେ ବିରୋଧ ପାଇଁ ନୁହେଁ, ବରଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ୱର ଉଠାଉଛନ୍ତି। ଏଭଳି ପ୍ରତିବାଦକୁ ଗଣତନ୍ତ୍ରର ଏକ ସକାରାତ୍ମକ ଅଂଶ ଭାବେ ଦେଖିବା ଦରକାର ବୋଲି କହିଛନ୍ତି ଭାଗବତ।
କେବଳ ସେତିକି ନୁହେଁ ପ୍ରଶ୍ନ କରୁଥିବା ଯୁବପିଢ଼ିକୁ ଦେଶଦ୍ରୋହୀ ଭାବେ ଚିହ୍ନଟ କରିବା ଉଚିତ ନୁହେଁ। ସେମାନଙ୍କ ପ୍ରତି ସହାନୁଭୂତି ଓ ବୁଝାମଣାର ମନୋଭାବ ରହିବା ଆବଶ୍ୟକ ବୋଲି ଭାଗବତ କହିଛନ୍ତି। ସେ କହିଛନ୍ତି “ଆଜିର ପିଢ଼ି ସବୁଠାରୁ ସଚ୍ଚୋଟ ପିଢ଼ି। ସେମାନଙ୍କ କଥା ଶୁଣିବା ସହ ସେମାନଙ୍କୁ ଅନୁଭବ କରାଇବା ଦରକାର ଯେ ସେମାନଙ୍କ କଥା ଶୁଣାଯାଉଛି।”
ଟିୟର ଗ୍ୟାସ ଓ ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କରେ ମଧ୍ୟ ମନ୍ତବ୍ୟ ଦେଇ ଭାଗବତ କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ତାଙ୍କ ପାଖରେ ପ୍ରମାଣିକ ସୂଚନା ନାହିଁ। କେତେକ ସମାଜବିରୋଧୀ ତତ୍ତ୍ୱ ପ୍ରତିବାଦରେ ସାମିଲ ଥିବା ନେଇ ଖବର ଆସିଥିଲେ ମଧ୍ୟ, ସଠିକ୍ ତଥ୍ୟ ବିନା କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ନୁହେଁ ବୋଲି କହିଛନ୍ତି ଆର୍ଏସ୍ଏସ୍ ମୁଖ୍ୟ।
ଶିକ୍ଷାକୁ ବ୍ୟବସାୟରେ ପରିଣତ କରିବା ଉଚିତ ନୁହେଁ ବୋଲି ମୋହନ ଭାଗବତ କହିଛନ୍ତି। ଶିକ୍ଷାର ବଢ଼ୁଥିବା ଖର୍ଚ୍ଚ ଚିନ୍ତାଜନକ ବୋଲି ସେ ମତ ପ୍ରକାଶ କରିଥିଲେ। ଏନେଇ ସେ କହିଛନ୍ତି, ଶିକ୍ଷାର ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ବରଂ ସମାଜର ମଧ୍ୟ ରହିଛି। ଶିକ୍ଷକମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା, ଶିକ୍ଷା ବ୍ୟବସ୍ଥାର ନିୟମିତ ସମୀକ୍ଷା କରିବା ଏବଂ ଶିକ୍ଷା ପ୍ରତି ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା ଆବଶ୍ୟକ। ଏହା ସହ ସେ ଦୀର୍ଘଦିନ ଧରି ଉଠୁଥିବା ଦାବି ଅନୁସାରେ ଜାତୀୟ ବଜେଟର ୬ ପ୍ରତିଶତ ଶିକ୍ଷା କ୍ଷେତ୍ର ପାଇଁ ବ୍ୟୟ କରିବା ପ୍ରସଙ୍ଗକୁ ମଧ୍ୟ ସମର୍ଥନ କରିଥିଲେ।
ଶେଷରେ ମୋହନ ଭାଗବତ କହିଛନ୍ତି ଯେ, କୌଣସି ପ୍ରତିବାଦ କେବଳ ଲୋକେ ରାସ୍ତାକୁ ଆସିଲେ ବୋଲି ଦେଶବିରୋଧୀ ହୋଇଯାଏ ନାହିଁ। ଗଣତନ୍ତ୍ରରେ ମତଭେଦ, ପ୍ରଶ୍ନ ଓ ସୁଧାର ଦାବି ଏକ ସୁସ୍ଥ ବ୍ୟବସ୍ଥାର ଅଂଶ ବୋଲି ସେ ମତ ପ୍ରକାଶ କରିଛନ୍ତି।
