ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜୟନ୍ତୀ ଉପଲକ୍ଷେ ୟୁନିଟ୍-୯ (ଲେନ୍-୫) ସ୍ଥିତ ସୁଦ୍ଧାନିଧିସ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ‘ସମରସ ସଂକଳ୍ପ ଅଭିଯାନ’ ତଥା ପବିତ୍ର ମୃତ୍ତିକା କଳସ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ଜୟଦେବ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଅରବିନ୍ଦ ଢାଲି, ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ଉତ୍ତରର ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ରାଜ୍ୟ ତଥା ଜିଲ୍ଲା କମିଟିର ବହୁ ବରିଷ୍ଠ ନେତୃବୃନ୍ଦ ଓ ପୂଜ୍ୟ ସାଧୁସନ୍ଥମାନେ ଉପସ୍ଥିତ ଥିଲେ।
ଅତିଥିମାନେ ସନ୍ଥ ରବିଦାସଙ୍କ ସାମାଜିକ ସମରସତା, ସମତା ଏବଂ ଭ୍ରାତୃଭାବର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ମଞ୍ଚନାଥ ମଣ୍ଡଳ, ଶିଖରଚଣ୍ଡୀ ମଣ୍ଡଳ, ଶ୍ରୀରାମ ମଣ୍ଡଳ, ଭଦ୍ରେଶ୍ୱରୀ ମଣ୍ଡଳ, ନୟାପଲ୍ଲୀ ମଣ୍ଡଳ, ସୋମନାଥ ମଣ୍ଡଳ, ଚନ୍ଦ୍ରଶେଖରପୁର ମଣ୍ଡଳ, ଶ୍ରୀକୃଷ୍ଣ ମଣ୍ଡଳ ଓ ଗୋପୀନାଥ ମଣ୍ଡଳ ପ୍ରଭୃତି ବିଭିନ୍ନ ମଣ୍ଡଳର ସଭାପତି, ସଭାନେତ୍ରୀ ତଥା ସାଧାରଣ ସମ୍ପାଦକମାନଙ୍କୁ ସନ୍ଥ ରବିଦାସଙ୍କ ଫଟୋଚିତ୍ର ସହ ପବିତ୍ର ମୃତ୍ତିକା କଳସ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଜିଲ୍ଲା ତଥା ମଣ୍ଡଳ ସ୍ତରୀୟ ସନ୍ଥ ରବିଦାସ ଜୟନ୍ତୀ କମିଟି, ଅନୁସୂଚିତ ଜାତି (SC) ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚାର ସଦସ୍ୟା ଏବଂ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
