ଜନଗଣନା-୨୦୨୭ରେ ରହିବନି ‘ଭିକାରି ଓ ଭୂମିହୀନ ଯାଯାବର’ ଲାଗି ସ୍ୱତନ୍ତ୍ର ବର୍ଗ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଦେଶର ଆଗାମୀ ଜନଗଣନା-୨୦୨୭ରେ ତଥ୍ୟ ସଂଗ୍ରହ ପ୍ରଣାଳୀରେ କେତେକ ପରିବର୍ତ୍ତନ ହେବ। ଏଥିରେ ପ୍ରଥମଥର ପାଇଁ ‘ଭିକାରି ଓ ଭୂମିହୀନ ଯାଯାବର’ଙ୍କ ପାଇଁ ଥିବା ସ୍ୱତନ୍ତ୍ର ବର୍ଗକୁ ବାଦ୍ ଦିଆଯାଇଛି। ଜନଗଣନା ପ୍ରଶ୍ନାବଳୀରେ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଅଧୀନରେ ଏହି ବର୍ଗ ଆଉ ରହିବ ନାହିଁ। ଏହି ବର୍ଗରେ ପଡ଼ୁଥିବା ବ୍ୟକ୍ତିଙ୍କୁ ‘ଅନ୍ୟାନ୍ୟ’ ଶ୍ରେଣୀରେ ସାମିଲ କରାଯିବ।
ପୂର୍ବ ଜନଗଣନାଗୁଡ଼ିକରେ ଛାତ୍ରଛାତ୍ରୀ, ଘରୋଇ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ନିର୍ଭରଶୀଳ, ପେନ୍‌ସନ୍‌ଭୋଗୀ ଓ ଅନ୍ୟମାନଙ୍କ ସହ ‘ଭିକାରି ଓ ଭୂମିହୀନ ଯାଯାବର’ଙ୍କୁ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଭିତରେ ଅଲଗା ଭାବେ ଦର୍ଶାଯାଉଥିଲା। ୨୦୧୧ ଜନଗଣନାରେ ପ୍ରାୟ ୩.୮ ଲକ୍ଷ ଅଣ-ଶ୍ରମିକ ଓ ସୀମାନ୍ତ ଶ୍ରମିକ ନିଜକୁ ଏହି ବର୍ଗର ବୋଲି ଦର୍ଶାଇଥିଲେ। ୨୦୦୧ରେ ଏହି ସଂଖ୍ୟା ୬.୩ ଲକ୍ଷ ଓ ୧୯୯୧ରେ ପ୍ରାୟ ୫.୪ ଲକ୍ଷ ଥିଲା। ତେବେ ଭିକ୍ଷାବୃତ୍ତି ସହ ଜଡ଼ିତ ସାମାଜିକ ଲଜ୍ଜା କାରଣରୁ ଅନେକ ଲୋକ ନିଜ ପେସା କିମ୍ବା ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଭାବେ ଏହା ଦର୍ଶାଇବାକୁ ଅନିଚ୍ଛୁକ ଥିବାରୁ ପୂର୍ବର ତଥ୍ୟକୁ ବାସ୍ତବ ଚିତ୍ରଠାରୁ କମ୍ ବୋଲି ଅଧିକାରୀମାନେ ମନେ କରୁଥିଲେ। ଜନଗଣନା ନିୟମ ଅନୁଯାୟୀ, ଉତ୍ତରଦାତା ଯାହା ଘୋଷଣା କରନ୍ତି, ଗଣନାକାରୀ ତାହା ହିଁ ରେକର୍ଡ କରିଥାନ୍ତି।
ଏହାଛଡ଼ା ନୂଆ ଜନଗଣନାରେ ସ୍ଥାନାନ୍ତରର କାରଣ ତାଲିକାରେ ‘ପ୍ରାକୃତିକ ବିପର୍ଯ୍ୟୟ’କୁ ଯୋଡ଼ାଯାଇଛି। କାମ, ବ୍ୟବସାୟ, ଶିକ୍ଷା, ବିବାହ, ଜନ୍ମ ପରେ ସ୍ଥାନାନ୍ତର ଓ ପରିବାର ସହ ସ୍ଥାନାନ୍ତର ଭଳି କାରଣ ସହ ଏହା ରହିବ। ଜନଗଣନାରେ ମାତାପିତାଙ୍କ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ସଂଗ୍ରହ କରାଯିବ। ସେମାନେ ସମାନ ପରିବାରରେ ନ ଥିଲେ କିମ୍ବା ମୃତ ହୋଇଥିଲେ, ସେମାନଙ୍କ ଜନ୍ମତାରିଖ, ଜନ୍ମସ୍ଥାନ ଓ ଧର୍ମ ସମ୍ପର୍କିତ ବିବରଣୀ ନିଆଯିବ। ଏହି ତଥ୍ୟରୁ ପିଢ଼ିଭିତ୍ତିକ ଅନ୍ତଃଧର୍ମୀୟ ବିବାହ ଓ ଧର୍ମ ପରିବର୍ତ୍ତନ ସମ୍ପର୍କିତ ଧାରା ବୁଝିବା ସହ ନାଗରିକତା ଆଇନ ଅନୁଯାୟୀ ଭାରତୀୟ ନାଗରିକତାର ଯୋଗ୍ୟତା ସମ୍ପର୍କିତ ସାମଗ୍ରିକ ତଥ୍ୟ ମିଳିପାରିବ। ଏଥିସହ ଉପଲବ୍ଧ ଥିଲେ ମୋବାଇଲ୍ ନମ୍ବର, ଆଧାର, ଭୋଟର ପରିଚୟପତ୍ର ଓ ଭାରତୀୟ ପାସ୍‌ପୋର୍ଟ ନମ୍ବର ମଧ୍ୟ ନିଆଯିବ। ତେବେ ଏସବୁ ତଥ୍ୟ ଦେବା ବାଧ୍ୟତାମୂଳକ ନୁହେଁ।

Leave a Reply

Your email address will not be published. Required fields are marked *