ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ–୨୦୨୬ ରଦ୍ଦ ଦାବି

ରାଜ୍ୟ
Spread the love

ଭଦ୍ରକ : ଭାରତୀୟ ସଂବିଧାନର ସୁରକ୍ଷା, ଦେଶର ସଂଘୀୟ ଢାଞ୍ଚା, ରାଜ୍ୟମାନଙ୍କର ସାମ୍ବିଧାନିକ ଓ ଆର୍ଥିକ ଅଧିକାର, ପ୍ରାକୃତିକ ଓ ଖଣିଜ ସମ୍ପଦ ଉପରେ ଖଣିଜ ସମୃଦ୍ଧ ରାଜ୍ୟମାନଙ୍କର ନ୍ୟାୟସଙ୍ଗତ ଅଧିକାର ଏବଂ ଆଦିବାସୀ ଓ ଖଣି ପ୍ରଭାବିତ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଜନ ବିରୋଧୀ ଆଇନ ରଦ୍ଦ କରିବା ଦାବିରେ ଇଣ୍ଡିଆ ମେଣ୍ଟ ଭଦ୍ରକ ଶାଖାର ଅନ୍ତର୍ଭୁକ୍ତ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ, ଭାରତର କମ୍ୟୁନିଷ୍ଟ ପାର୍ଟି ( ମାର୍କ୍ସବାଦୀ), ଭାରତୀୟ କମ୍ଯୁନିଷ୍ଟ ପାର୍ଟି, ସିପିଆଇଏମଏଲ ଲିବରେସନ ପକ୍ଷରୁ ମିଳିତ ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଦୁଇଟି ଶୋଭାଯାତ୍ରା ଗୋଟିଏ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରୁ ଓ ଅନ୍ୟ ଶୋଭାଯାତ୍ରା ବନ୍ତ ଛକ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬ ଦେଶର ଖଣିଜ ସମ୍ପଦର ପରିଚାଳନା, ରାଜ୍ୟମାନଙ୍କର ରାଜସ୍ୱ ଅଧିକାର, ସଂଘୀୟ ଢାଞ୍ଚା ଏବଂ ଖଣି ପ୍ରଭାବିତ ଅଞ୍ଚଳର ସାମାଜିକ ଓ ପରିବେଶୀୟ ସୁରକ୍ଷା ଉପରେ ଦୂରଗାମୀ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏହା କେବଳ ଏକ ଖଣି ଆଇନର ପ୍ରଶାସନିକ ସଂଶୋଧନ ନୁହେଁ, ଏହାର କେତେକ ବ୍ୟବସ୍ଥା ରାଜ୍ୟମାନଙ୍କର ସାମ୍ବିଧାନିକ କ୍ଷମତା ଓ ଆର୍ଥିକ ସ୍ୱାୟତ୍ତତାକୁ ପ୍ରଭାବିତ କରିବା ସହିତ ଖଣିଜ ସମ୍ପଦ ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣକୁ ଅଧିକ ସୁଦୃଢ଼ କରିବ।ଏହି ପରିପ୍ରେକ୍ଷିରେ, ଆଇନଟିକୁ ଏହାର ବର୍ତ୍ତମାନ ରୂପରେ ରଦ୍ଦ କରିବା ଜରୁରୀ ବୋଲି ବିକ୍ଷୋଭ ରେ ଯୋଗ ଦେଇଥିବା ଇଣ୍ଡିଆ ମେଣ୍ଟ ର ନେତୃତ୍ବ ପ୍ରକାଶ କରିଥିଲେ।
ଏହି କଳା ଆଇନକୁ ତୁରନ୍ତ ରଦ୍ଦ କରିବା ପାଇଁ ଇଣ୍ଡିଆ ମେଣ୍ଟର ନେତୃତ୍ବ ଦାବି କରିଥିଲେ। ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପାଖକୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ ଙ୍କ ମିଳିତ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭରେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ସିପିଆଇଏମର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇ ନେତା ରମେଶ ଜେନା, ଅନନ୍ତ ମହାନ୍ତି, ସିପିଆଇଏମଏଲ ଲିବରେସନ ନେତ୍ରୀ ଜୟନ୍ତୀ ବିଶ୍ବାଳ, କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ମହମ୍ମଦ ମୋକିମ, ସିପିଆଇ(ଏମ) ନେତା ରାଧାନାଥ ଦାସ, ଗିରିଧାରୀ ନାଥ, ମଳୟ ଭୋଇ, ବିଷ୍ଣୁ ଦାଶ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ଜୟନୂଲ ଆବେଦିନ, କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ଶୁଭାଶିଷ ମଲ୍ଲିକ, ବିଦ୍ୟାଧର ରାଉତ, ମହିଳା ନେତ୍ରୀ ସୁରଜିତା ନାୟକ, ଶର୍ମିଷ୍ଠା ପଣ୍ଡା, ଦେବେନ୍ଦ୍ର ମହାନ୍ତି, ପିତବାସ ଧଳ, ବିଜୟ ବାରିକ୍, ପ୍ରଦ୍ୟୁମ୍ନ ଦାସ, ଅଭିଷେକ ରାଉତ, ସିପିଆଇ ନେତା ବିମ୍ବାଧର ନାରାୟଣ ତ୍ରିପାଠୀ, ହରିହର ବେହେରା, ଦିଲିପ ନାୟକ, ମନୋରଞ୍ଜନ ରାଉତ, ଅବଦୁଲ ମୁକିତ୍ ଖାନ୍, କଲିମୁଦ୍ଦିନ ଖାନ୍, ଗୋଲେଖ ଚନ୍ଦ୍ର ବେହେରା, କଂଗ୍ରେସ ନେତା ଇଲିଆସ ଅଲ୍ଲୀ ଖାନ୍ ପ୍ରମୁଖ ଯୋଗଦେଇ ଏହି କଳା ଆଇନକୁ ତୁରନ୍ତ ରଦ୍ଦ କରିବାକୁ ସଭା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *