କଟକ ସଦର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶନନଗର ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ସାହୁ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ରେକର୍ଡ ସଂଖ୍ୟକ ମୋଟ ୩୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜେ ରକ୍ତଦାନ କରିବା ସହ ଉପସ୍ଥିତ ଯୁବପିଢ଼ି ତଥା ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହାସହ କିଶନନଗର ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ଏହି ଶିବିରରେ ବିଜେପିର ବରିଷ୍ଠ ନେତା ତଥା ଅଭିନେତା ଶ୍ରୀତମ ଦାସ, କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ସୁଦାମବତୀ ମଣ୍ଡଳ ସଭାପତି ରଘୁନାଥ ଆଚାର୍ଯ୍ୟ, ନେମାଳ ମଣ୍ଡଳର କାର୍ଯ୍ୟକର୍ତ୍ତା, ସାଧୁ ଚରଣ ଜେନା, ହୃଷୀକେଶ ଜେନାଙ୍କ ସମେତ ସଦର ବିଜେପିର ଛାତ୍ର, ଯୁବ, ମହିଳା ଓ ଅନ୍ୟାନ୍ୟ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଅଞ୍ଚଳରେ ଏପରି ଏକ ବୃହତ ମେଗା ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇପାରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ତଥା ବିଭିନ୍ନ ମହଲରୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରାଯାଇଛି।
(କଟକ ସଦରରୁ ବସନ୍ତ ରଥଙ୍କ ରିପୋର୍ଟ)
