ଛତ୍ରପୁର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ମୁକାବିଲା କରିବା ପାଇଁ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।
ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କଳିଙ୍ଗା ଘାଟିରେ ସେପ୍ଟେମ୍ବର ୨୩ ତାରିଖରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରଖାଯିବ। କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ଏହି ସମୟରେ ଯାତ୍ରୀ ଓ ଯାନବାହନ ଚାଳକମାନେ ବିକଳ୍ପ ରାସ୍ତା ଦେଇ ଯାତାୟାତ କରିବାକୁ କୁହାଯାଇଛି।
ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା ପାଇଁ ଜିଲ୍ଲାରେ ଥିବା ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ଗଞ୍ଜାମରେ ୨ଟି ସ୍ୱତନ୍ତ୍ର ଓଡ୍ରାଫ୍ ଟିମ୍ ନିୟୋଜିତ ରହିଛନ୍ତି। ଗୋଟିଏ ଟିମ୍ ଭଞ୍ଜନଗରରେ ଏବଂ ଅନ୍ୟ ଟିମ୍ ଚିକିଟି-ପାତ୍ରପୁର ଅଞ୍ଚଳରେ ନିୟୋଜିତ ହୋଇଛି।
ଜିଲ୍ଲାର ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ସଜାଗ ରଖାଯାଇଥିବା ବେଳେ ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳା ଭୂମି ସହିତ ସମସ୍ତ ବେଳାଭୂମି ବନ୍ଦ ରହିବ। ଏହି ସମୟ ମଧ୍ୟରେ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ବେଳାଭୂମିକୁ ଯିବାକୁ ବାରଣ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
