ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ: ପ୍ୟାକ୍ସ ଓ ଲ୍ୟାମ୍ପ୍‌ସ ହେବ ଗ୍ରାମାଞ୍ଚଳର ‘ୱାନ୍-ଷ୍ଟପ୍ ସଲ୍ୟୁସନ୍’

ରାଜ୍ୟ
Spread the love
  • ସମବାୟ ସଂସ୍ଥା ରାଜନୈତିକ ମଞ୍ଚ ନୁହେଁ, ଅନ୍ନଦାତାଙ୍କ ଜୀବନରେଖା: ମୁଖ୍ୟମନ୍ତ୍ରୀ

  • ପ୍ରଥମ ଥର ପାଇଁ ଚାଷୀଙ୍କୁ ଲାଭାଂଶ ବଣ୍ଟନ, ଉପକୃତ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ

  • ବଡ଼ମ୍ବା ଓ ଆସିକା ଆଖୁ ଚାଷୀଙ୍କୁ ଏକର ପିଛା ମିଳିବ ୧୫ ହଜାର ଟଙ୍କାର ସବ୍‌ସିଡି

  • ସମବାୟ ବିଭାଗ ଓ ପଣ୍ୟାଗାର ନିଗମରେ ୬୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର  : ‘‘ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମ ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ପ୍ରକୃତ ଜୀବନରେଖା,’’ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଓୟୁଏଟି (OUAT) କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ସମାରୋହରେ ପ୍ୟାକ୍ସ (PACS) ଓ ଲ୍ୟାମ୍ପ୍‌ସ (LAMPCS)ର ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର୍ ସେ ସମୃଦ୍ଧି’ ଆହ୍ୱାନ ଓ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ନିଜସ୍ୱ ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିଛି। ଏହି ନୂତନ ନୀତି ଆଧାରରେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ କେବଳ ଋଣ କାରବାରରେ ସୀମିତ ନରଖି ଗ୍ରାମାଞ୍ଚଳର ‘ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟରରେ ପରିଣତ କରାଯାଉଛି। ଏଣିକି ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏମ୍‌ଏସ୍‌ପି ପ୍ରଦାନ ସହିତ ଗୋଟିଏ ଛାତ ତଳେ ଉନ୍ନତ ବିହନ, ସାର, ଆଧୁନିକ କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଉପଲବ୍ଧ କରାଯାଉଛି।

ଏହି ଅବସରରେ ଇତିହାସରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ (ଡିଭିଡେଣ୍ଡ) ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଭାବେ ୩୨୨ଟି ସମିତିର ଚାଷୀଙ୍କୁ ଏହି ଲାଭାଂଶ ପ୍ରଦାନ କରାଯାଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୫୦୦ରୁ ଊର୍ଦ୍ଧ୍ୱ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଉପକୃତ ହେବେ। ସେହିପରି ରାଜ୍ୟରେ ଆଖୁ ଚାଷର ପୁନରୁଦ୍ଧାର ଲାଗି “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ମାଧ୍ୟମରେ ବଡ଼ମ୍ବା ଓ ଆସିକା ଚିନି କଳ ଅଞ୍ଚଳର ଚାଷୀଙ୍କୁ ଏକର ପିଛା ୧୫,୦୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ପ୍ରଦାନ କରାଯିବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (ସିଏସ୍‌ସି), ୬୦ଟି ଗ୍ରାହକ ସେବା ଷ୍ଟୋର୍, ୭୦ଟି ପ୍ୟାକ୍ସର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଗୃହ ଏବଂ ୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ରର ଲୋକାର୍ପଣ କରିଥିଲେ। ଏଥିସହ ୪ଟି ଆଦର୍ଶ ମଣ୍ଡି ଓ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ ୩ଟି ଶସ୍ୟ ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମବାୟ କାରବାରରେ ସ୍ୱଚ୍ଛତା ଆଣିବା ଲାଗି ୩୦୦ଟି ପ୍ୟାକ୍ସରେ ନ୍ୟାସନାଲ୍ ପ୍ୟାକ୍ସ ସଫ୍ଟୱେର୍ (NLPS) ଜରିଆରେ ଅନ୍‌ଲାଇନ୍ କୋର୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

ଏହି ସମାବେଶରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ପ୍ରତ୍ୟେକ ପରିବାରରୁ ଅତିକମରେ ଜଣେ ସଦସ୍ୟଙ୍କୁ ସମବାୟ ସହ ଯୋଡ଼ି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ହସ୍ତତନ୍ତ ସଚିବ ଗୁହା ପୁନମ୍ ତାପସ କୁମାର, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ମନିଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *