ଅବକାରୀ ବିଭାଗର ଚଢ଼ାଉ: ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ବାଇକ୍ ସହ ୨ ଗିରଫ

ରାଜ୍ୟ
Spread the love

କଟକ :  କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣାଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବ୍ରାଉନସୁଗାର ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରାଯାଇଛି। ଜଗତପୁର ଥାନା ଅନ୍ତର୍ଗତ ଇପିକଲ୍ (IPICOL) ଛକ ନିକଟସ୍ଥ ଖଇରା ପୋଲ ଉପରେ ଚାଲାଣ ବେଳେ ଟିମ୍ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାଜେଶ କୁମାର ବେହେରା ଓ ଜଗନ ସାମଲ। ସେମାନେ ଏକ ଆପାଚେ (Apache) ମୋଟରସାଇକେଲ ଯୋଗେ ୧୧୫ ଗ୍ରାମ ଓଜନର ହେରୋଇନ (ବ୍ରାଉନସୁଗାର) ନେଇ ଯାଉଥିବା ସମୟରେ ଅବକାରୀ ଟିମ୍ ସେମାନଙ୍କୁ କାବୁ କରିଥିଲା। ଜବତ ବ୍ରାଉନସୁଗାର ଏବଂ ବାଇକ୍‌ର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଏନ୍‌ଡିପିଏସ୍ (NDPS) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଚଢ଼ାଉରେ ଅବକାରୀ ମୋବାଇଲ ୟୁନିଟ୍‌ର ଆଇଆଇସି ଭକ୍ତବତ୍ସଳ ବର୍ମା, ଏସ୍‌ଆଇ ନିରୁପମା ପ୍ରଧାନ, ଏଏସ୍‌ଆଇ ହରିହର ନାଏକଙ୍କ ସମେତ ବିଭାଗୀୟ କର୍ମଚାରୀ ଅଜୟ ଜେନା, ଦେବବ୍ରତ ଓଝା, ଶଙ୍କର ସିଂ, ଲକ୍ଷ୍ମଣ ବେହେରା ଏବଂ ପ୍ରିୟତମା ରଥ ପ୍ରମୁଖ ସାମିଲ ଥିଲେ। ଗତ କିଛି ଦିନ ହେବ କଟକ ଅବକାରୀ ମୋବାଇଲ ୟୁନିଟ୍ ନିଶା କାରବାର ବିରୋଧରେ ଜୋରଦାର ଅଭିଯାନ ଚଳାଇ ଏକାଧିକ ବଡ଼ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବାରୁ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *