କଟକ : ରାଜ୍ୟବ୍ୟାପୀ ଲାଗି ରହିଥିବା ପ୍ରବଳ ବର୍ଷା ଓ ଝଡ଼ପବନ ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଭୂସ୍ଖଳନ ଓ ଗଛପତ୍ର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କଟକ ସହରରେ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି। ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଓ ପବନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଘର ଓ ବାଇକ୍ ଉପରେ ପଡ଼ି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଏହି ସମୟରେ କଟକ ସହରର ସୁରକ୍ଷା କବଚ କୁହାଯାଉଥିବା ଐତିହାସିକ ରିଙ୍ଗ୍ ବନ୍ଧ ଉପରେ ଏକ ବଡ଼ଧରଣର ବିପଦ ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ କଟକ ମ୍ୟୁଜିୟମ ରୋଡ୍ ନିକଟସ୍ଥ ରିଙ୍ଗ୍ ବନ୍ଧରେ ଘଳିଆ ସୃଷ୍ଟି ହୋଇ ପ୍ରାୟ ୧୦ ମିଟର ଦୈର୍ଘ୍ୟର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ନଦୀଗର୍ଭରେ ଲୀନ ହୋଇଯାଇଛି। ଏହି ଘଟଣା ସମଗ୍ର କଟକବାସୀଙ୍କ ପାଇଁ ଏକ ବିପଦ ଘଣ୍ଟି ସାଜିଛି।
ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଏବଂ ନଦୀବନ୍ଧକୁ ମଜଭୁତ ରଖୁଥିବା ପୁରାତନ ବର ଓ ଓସ୍ତ ଭଳି ବିରାଟ ବୃକ୍ଷଗୁଡ଼ିକୁ ଅବାଧରେ କାଟି ଦିଆଯିବା ଫଳରେ ମାଟି ଦୁର୍ବଳ ହୋଇ ଏଭଳି ସ୍ଥିତି ଉପୁଜିଛି। ଏହା ସହିତ ନଦୀ ପଠା ପୋତି ବେଆଇନ ବସ୍ତି ନିର୍ମାଣ ଓ ଜଳ ନିଷ୍କାସନ ନାଳଗୁଡ଼ିକ ପୋତି ହୋଇ ରହିବା ଯୋଗୁଁ ବର୍ଷା ଜଳ ରାସ୍ତା ଉପରେ ଜମି ରହି ବନ୍ଧର ପିଚୁ ଓ କଂକ୍ରିଟ୍ ସ୍ତରକୁ ଖାଇଯାଉଛି। ଠିକା ସଂସ୍ଥାଗୁଡ଼ିକର ନିମ୍ନମାନର କାର୍ଯ୍ୟ ଏବଂ ସଠିକ୍ ପୁନରୁଦ୍ଧାର ନହେବା ମଧ୍ୟ ଏହି ବିପଦର ଅନ୍ୟତମ ପ୍ରମୁଖ କାରଣ ବୋଲି ଅଭିଯୋଗ ହେଉଛି।
ଘଟଣାସ୍ଥଳରେ ଉପସ୍ଥିତ ବିଭାଗୀୟ ଯନ୍ତ୍ରୀମାନେ ଖୁବ୍ ଶୀଘ୍ର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଭୟ ଦୂର ହୋଇନାହିଁ। ଯଦି ପ୍ରଶାସନ ପକ୍ଷରୁ ସହରର ଏହି ହଜାର ବର୍ଷର ଐତିହାସିକ ସୁରକ୍ଷା ବଳୟକୁ ତୁରନ୍ତ ସୁଦୃଢ଼ ନକରାଯାଏ, ତେବେ ଆଗାମୀ ଦିନରେ ଅଧିକ କ୍ଷୟକ୍ଷତି ଘଟି ଏକ ଭୟଙ୍କର ବିପର୍ଯ୍ୟୟ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
