ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନାବାଳିକା ପତ୍ନୀ ସହିତ ଯୌନ ସମ୍ପର୍କ ମାମଲାରେ ମୁସ୍ଲିମ ପର୍ଶନାଲ ଲ ଆଧାରରେ ଛାଡ ଦେବାକୁ ମନା କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଅପାରଧିକ ଆଇନ ଅନୁସାରେ ଅପରାଧିକ ଦାୟିତ୍ୱରୁ ଛାଡ ଦାବି କରିବା ଲାଗି ମୁସ୍ଲିମ ପର୍ଶନାଲ ଲ ର ସାହାରା ନିଆଯାଇ ପାରିବନି। କୌଣସି ସାବାଳକ ପୁରୁଷକୁ ପର୍ଶନାଲ ଲ ରେ ମାନ୍ୟତା ପ୍ରାପ୍ତ ମ୍ୟାରେଜ ସାର୍ଟିଫିକେଟ ଦେଖାଇ ୧୮ ବର୍ଷରୁ କମ ବୟଷ୍କଙ୍କ ସମ୍ପର୍କିତ ମାମଲାରେ ଦାୟି ହେବାରୁ ବର୍ତ୍ତିବାର ଅନୁମତି ଦିଆଗଲେ ‘ପକସୋ ଆକ୍ଟ’ର ଉଦ୍ଦେଶ୍ୟ ସମାପ୍ତ ହୋଇଯିବ।
ଏଣୁ ପକସୋରେ କୌଣସି ପ୍ରକାରର ଛାଡ ମିଳିବ ନାହିଁ ଓ ମାମଲା ରୁଜୁ ହେବ। ଜଷ୍ଟିସ୍ ସଞ୍ଜୀବ ନରୁଲା ସେପ୍ଚେମ୍ବର ୨୩ରେ ଏହି ରାୟ ଦେଇଛନ୍ତି। ରିପୋର୍ଟ ଅନୁସାରେ କୋର୍ଟ ଏହି ଟିପ୍ପଣୀ ସେତେବେଳେ କରିଛନ୍ତି ଯେତେବେଳେ ନିଜ ନାବାଳିକ ପତ୍ନୀ ପ୍ରତି ଯୌନ ଉତ୍ପିଡ଼ନ ଅଭିଯୁକ୍ତ ଜନୈକ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲା ରଦ୍ଦ କରିବାକୁ କୋର୍ଟ ମନା କରିଥିଲେ। ବିବାହ ସମୟେର ଝିଅର ବୟସ ୧୬ ବର୍ଷ ୩ ମାସ ଓ ଅଭିଯୁକ୍ତର ବୟସ ୨୮ ବର୍ଷ ଥିଲା। ଏହା ପରେ ସେମାନେ ଏକତ୍ର ରହିବାରେ ଲାଗିଲେ ଓ ନାବାଳିକା ଗର୍ଭବତୀ ହୋଇଥିଲା।
ଗର୍ଭାବସ୍ଥାରେ ସରକାରୀ ହସ୍ପିଟାଲ ଯିବା ସମୟରେ ନାବାଳିକାର ବୟସ ଜଣାପଡିଥିଲା ଓ ହସ୍ପିଟାଲ ପ୍ରଶାସନ ଏ ସମ୍ପର୍କରେ ପୋଲିସକୁ ଜଣାଇବା ପରେ ଅଭିଯୁକ୍ତ ବିରୋଧରେ ପକସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ତେବେ ପୋଲିସକୁ ଦିଆଯାଇଥିବା ବୟାନରେ ନାବାଳିକା କହିଛି ଯେ ବିବାହ ଉଭୟ ପରିବାରର ସହମତିରେ ହୋଇଛି ଓ ତା ଉପରେ କୌଣସି ପ୍ରକାରର ଚାପ ଅଥବା ଜୋରଜବରଦସ୍ତ କରାଯାଇ ନାହିଁ। ଏଣୁ ନାବାଳିକା ତାଙ୍କ ସ୍ୱାମୀଙ୍କ ଜାମିନ ନିବେଦନକୁ ସମର୍ଥନ କରିଥିଲା ଓ ଗର୍ଭାବସ୍ଥା କାଳରେ ତାଙ୍କ ପାଖରେ ସ୍ୱାମୀଙ୍କ ଉପସ୍ଥିତି ଇଛା ପ୍ରକାଶ କରିଥିଲା।
ଆବେଦନରେ ଦମ୍ପତ୍ତି ତର୍କ ଦେଇଛନ୍ତି ଯେ ମୁସ୍ଲିମ ପର୍ଶନାଲ ଲ ରେ ଜଣେ ମୁସଲମାନ ଝିଅ ସାବାଳିକା ହେବା ପରେ ବିବାହ ଯୋଗ୍ୟା ହୁଅନ୍ତି। ଏଣୁ ଯେହେତୁ ବିବାହ ବୈଧ ଏଣୁ ତା ପରେ ହୋଇଥିବା ଯୌନ ସମ୍ପର୍କ ଯୋଗୁ କୌଣସି ଅପରାଧ ହେଉ ନାହିଁ। ତେବେ କୋର୍ଟ କହିଛନ୍ତି ଯେ ଏହି ତର୍କକୁ ସ୍ୱୀକାର କରାଯାଇ ପାରିବନି। କାରଣ ମୁସ୍ଲିମ ପର୍ଶନାଲ ଲ ଅନୁସାରେ ହୋଇଥିବା ବିବାହୋତ୍ତର ଯୌନ ସମ୍ପର୍କ ଆପେ ଆପେ ଅପାରଧ ଶ୍ରେଣୀରୁ ବାହାର ହୋଇଯାଏନି।
