ଆଠଗଡ଼ ୨୭।୯: ମା’ ଭଟ୍ଟାରିକାଙ୍କ ପୀଠରେ ବନ୍ୟା ଜଳ ଛୁଇଁଲା ମା’ଙ୍କ ବେଢା । ଆହୁରି ବଢ଼ୁଛି ଜଳସ୍ତର । ବଡ଼ମ୍ବା ଗଡ଼ର ଆରାଧ୍ୟା ଦେବୀ ମା’ ଭଟ୍ଟାରିକାଙ୍କ ପୀଠ ବେଢା ଛୁଇଁଲା ବନ୍ୟା ଜଳ। ଚଳିତ ବର୍ଷର ପଞ୍ଚମ ବନ୍ୟାରେ ପୁଣି ଥରେ ମା’ଙ୍କ ମନ୍ଦିର ବେଢାକୁ ଛୁଇଁଛି ବନ୍ୟାଜଳ । ମନ୍ଦିର ବେଢାକୁ ଲାଗି ପ୍ରାୟ ୨ ଫୁଟ ଉଚ୍ଚର ପାଣି ଜମି ରହିଥିବା ବେଳେ, ଲଗାତାର ବଢ଼ୁଥିବା ଜଳସ୍ତର ଏବେ ଭକ୍ତ ଓ ସେବାୟତଙ୍କ ଚିନ୍ତା ବଢ଼ାଇଛି ।
ବନ୍ୟା ଜଳ ପୀଠକୁ ଚାରିପଟୁ ଘେରି ରହିଥିଲେ ମଧ୍ୟ ଏଯାଏଁ ମା’ଙ୍କ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ହୋଇନାହିଁ । ପରମ୍ପରା ଓ ବିଧିବିଧାନ ଅନୁଯାୟୀ ଚାଲିଛି ମା’ଙ୍କ ନିତ୍ୟ ପୂଜାର୍ଚ୍ଚନା । ଜଳସ୍ତର ଆଉ ପ୍ରାୟ ୪ରୁ ୬ ଫୁଟ ବଢ଼ିଲେ, ମା’ଙ୍କ ବିଗ୍ରହକୁ ସୁରକ୍ଷିତ ଭାବେ ରୋଷଘରକୁ ସ୍ଥାନାନ୍ତର କରାଯିବ । ଏପଟେ ନଦୀର ଜଳସ୍ତର ବଢ଼ୁଥିବାରୁ ପୀଠର ସ୍ଥିତି ଉପରେ ନଜର ରଖିଛି ବଡ଼ମ୍ବା ଦେବୋତ୍ତର ବିଭାଗ । ମା’ଙ୍କ ପୀଠରେ ବନ୍ୟାଜଳ ପ୍ରବେଶ କରିବା ପରେ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ିଛି ।
