ଜନଶୁଣାଣିକୁ ଗୁରୁତ୍ୱ, ସୋମବାର ସରକାରୀ କାର୍ଯ୍ୟାଳୟରେ ହେବନି କୌଣସି ବୈଠକ

ରାଜ୍ୟ
Spread the love

ଭୁବନେଶ୍ବର ୨୭।୯: ସାଧାରଣ ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଜନଶୁଣାଣି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଛନ୍ତି ମୋହନ ସରକାର । ଲୋକଙ୍କ ସମସ୍ୟା ସିଧାସଳଖ ଶୁଣିବା ସହ ଏହାର ସମାଧାନ ପାଇଁ ଜନ ଅଭିଯୋଗ ଶୁଣାଣି କରାଯାଉଛି । କେବଳ ରାଜ୍ୟସ୍ତରୀୟ ଜନଶୁଣାଣି ନୁହେଁ, ବିଭିନ୍ନ ସରକାରୀ ବିଭାଗ ଓ କାର୍ଯ୍ୟାଳୟରେ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିବା ଓ ତାହାର ସମାଧାନ ପାଇଁ ବ୍ୟବସ୍ଥା ରହିଛି । ଏହା ଦ୍ୱାରା ସାଧାରଣ ଲୋକ ପ୍ରଶାସନ ନିକଟରେ ନିଜ ସମସ୍ୟା ରଖିବାର ସୁଯୋଗ ପାଉଛନ୍ତି । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଥିବାର ବାରମ୍ବାର ଅଭିଯୋଗ ସରକାରଙ୍କ ହସ୍ତଗତ ହେବା ପରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ । ସୋମବାରକୁ ନୋ ମିଟିଂ ଡେ’ ବା ଅଣ-ବୈଠକ ଦିବସ ଭାବେ ଘୋଷଣା କରାଯାଇଛି । ଏହି ଦିନ ସରକାରୀ କାର୍ଯ୍ୟାଳୟରେ କୌଣସି ବୈଠକ ହେବ ନାହିଁ । ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ସାଧାରଣ ଅଭିଯୋଗ ଶୁଣାଣି ହେଉଥିବାରୁ ଏହି ଦିନ କୌଣସି ବୈଠକ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର କେବଳ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାହାର ସମାଧାନ କରିବେ ଅଧିକାରୀ ।
ଲୋକଙ୍କ କଥା ଶୁଣିବା, ସମସ୍ୟା ବୁଝିବା ଏବଂ ସମାଧାନ ଦିଗରେ ପଦକ୍ଷେପ ନେବା ଜନଶୁଣାଣି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ, ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ସାଧାରଣ ଅଭିଯୋଗ ଶୁଣାଣି ଆୟୋଜିତ ହେଉଛି । ତେବେ ଏହି ଦିନ ମଧ୍ୟ ବିଭିନ୍ନ ବୈଠକ ରଖାଯାଉଥିବାରୁ ଅଧିକାରୀମାନଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟ ପ୍ରଭାବିତ ହେଉଛି । ସରକାରୀ ଅଧିକାରୀମାନେ ବୈଠକର ବାହାନା କରି ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି । ଦୂର ଦୁରାନ୍ତରୁ ନିଜ ସମସ୍ୟା ସମଧାନ କରିବାକୁ ଆସୁଥିବା ସାଧାରଣ ଲୋକ ନିରାଶ ହୋଇ ଫେରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ସୋମବାରକୁ ‘ନୋ ମିଟିଂ ଡେ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣିକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଯାବତ୍ ରାଜଧାନୀ ଏବଂ ରାଜଧାନୀ ବାହାରେ ୨୦ଟି ଅଭିଯୋଗ ଶୁଣାଣି କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା ୨ ଲକ୍ଷ ୬୯ ହଜାର ୩୯୪ ଅଭିଯୋଗ ଶୁଣାଣି ହୋଇ ୮୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇପାରିଛି ।

Leave a Reply

Your email address will not be published. Required fields are marked *