ବ୍ରହ୍ମପୁର: ବିଦେଶରେ ଚାକିରି ଦେବା ନାଁରେ ଠକେଇ । ବ୍ରହ୍ମପୁର ପୋଲିସ ଦ୍ୱାରା ଅଭିଯୁକ୍ତକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ବଳରାମ ମହାରାଣା l ସିଙ୍ଗାପୁରରେ ଚାକିରି ଦେବା ପ୍ରଲୋଭନ ଦେଖାଇ ୫୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ନିଜ ଜଲରେ ଫସାଇଥିଲା ।
ଅନ୍ୟ ରାଜ୍ୟ ଏବଂ ବିଦେଶରେ ଚାକିରି ଲୋଭ ଦେଇଥିବା ଠକେଇ କରୁଥିବା ରାକେଟର ମୁଖ୍ୟ ଅଭିଯୁକ୍ତକୁ ବ୍ରହ୍ମପୁର ପୋଲିସ ଗିରଫ କରିଛି । ପୂର୍ବରୁ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତ ସୁବ୍ରତ କୁମାର ପାଳଙ୍କୁ ଗତ ବର୍ଷ ଡିସେମ୍ୱର ୨୪ ତାରିଖରେ ପୋଲିସ ଗିରଫ କରିଥିଲା l ଅଭିଯୁକ୍ତମାନେ ଭାବିନିପୁରରେ “ଜବ୍ ଟ୍ରାକ୍ କନସଲ୍ଟାନ୍ସି ଆଣ୍ଡ୍ ଟ୍ରେନିଂ ସେଣ୍ଟର” ନାମରେ ଏକ ନକଲି ଏଜେନ୍ସି ଖୋଲିଥିଲେ । ପୋଷ୍ଟର, ବ୍ୟାନର ଏବଂ ଲିଫଲେଟ୍ ମାଧ୍ୟମରେ ସେମାନେ ସିଙ୍ଗାପୁରର କେପେଲ୍ ସିପୟାର୍ଡରେ ଲାଭଜନକ ଚାକିରିର ପ୍ରତିଶ୍ରୁତି ଦେଇ ବେକାର ଯୁବକମାନଙ୍କୁ ପ୍ରଲୋଭିତ କରିଥିଲେ ।
ଠକେଇ ଗ୍ୟାଙ୍ଗ ନକଲି ସାକ୍ଷାତକାର ନେଇଥିଲା ଏବଂ ପ୍ରାୟ ୫୦୦ ଜଣ ଚାକିରି ଆଶାୟୀଙ୍କଠାରୁ ପାସପୋର୍ଟ, ଟିକେଟ୍ ଏବଂ ୱାର୍କ ପରମିଟ୍ ଦେୟ ବାବଦକୁ ପ୍ରତି ବ୍ୟକ୍ତି ପାଇଁ ୩୦,୦୦୦ ଟଙ୍କା ଆଦାୟ କରିଥିଲେ । ଅତି କମରେ ୧୯୦ ଜଣ ଆବେଦନକାରୀଙ୍କ ମୂଳ ପାସପୋର୍ଟ ଜବତ କରିଥିଲେ । ସେମାନେ ନକଲି ଡାକ୍ତରୀ ପ୍ରମାଣପତ୍ର ଏବଂ କମ୍ପ୍ୟୁଟର ଦ୍ୱାରା ପ୍ରସ୍ତୁତ ନକଲି ନିଯୁକ୍ତି ପତ୍ର / ୱାର୍କ ପରମିଟ୍ ଏବଂ ନକଲି ବିମାନ ଟିକେଟ୍ ପ୍ରଦାନ କରିଥିଲେ ।
