ଭୁବନେଶ୍ୱର:ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସ୍ଆଇଆର୍କୁ ନେଇ କଂଗ୍ରେସର ଅଭିଯୋଗ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃସଂଶୋଧନ କରାଯାଉଥିବା କହି,ଏହା ଡିଜିଟାଲ୍ ଓ ଘରକୁ ଘର ସତ୍ୟାପନ ପ୍ରକ୍ରିୟାରେ ହେଉଥିବା ସେ କହିଛନ୍ତି । ଆଇସିଆଇ ଅନୁସାରେ ଏସଆଇଆର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ନାଗରିକଙ୍କ ନାଁ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ଏବଂ ଅଯୋଗ୍ୟ ନାମ ସାମିଲ ନହେବା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସ ନିଜ ସ୍ୱାର୍ଥ ପାଇଁ ନିର୍ବାଚନ କମିଶନଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି । ଏସ୍ଆଇଆର୍ରେ ବହୁ ସଂଖ୍ୟକ ଭୋଟରଙ୍କ ନାଁ ବାଦ୍ ପଡ଼ିଥିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଥିବା ବେଳେ,ଏହା ପ୍ରକ୍ରିୟାର ଅଂଶ ବୋଲି ସେ କହିଛନ୍ତି । ଫର୍ମ-୬କୁ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫର୍ମ-୬ରେ ପରିବର୍ତ୍ତନ ହୋଇଥିବା କଂଗ୍ରେସର ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ନିର୍ବାଚନ କମିଶନ ମଧ୍ୟ ସେପ୍ଟେମ୍ବର ୨୪ରେ କହିଛନ୍ତି ଯେ ମୂଳ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ; SIR ସମ୍ପର୍କିତ ଅତିରିକ୍ତ ଘୋଷଣା ପତ୍ରକୁ ଅଲଗା ଭାବେ ଯୋଡ଼ାଯାଇଛି । ନୂଆ ଭୋଟରଙ୍କ ପାଇଁ ଏସ୍ଆଇଆର୍ରେ କୌଣସି ଅସୁବିଧା ନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ Form-6 ବ୍ୟବସ୍ଥା ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର କୌଣସି ରାଜ୍ୟର ସିଇଓଙ୍କ ବିରୋଧରେ ଯାଇ ଏକପାଖିଆ ଭାବେ ନିଷ୍ପତ୍ତି ନେଇନାହାନ୍ତି । ସମସ୍ତଙ୍କ ସହଯୋଗରେ ଏହି ପ୍ରକ୍ରିୟା ଚାଲିଛି । ଓଡ଼ିଶାରେ ଏସଆଇଆରର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦.୧୩ ଲକ୍ଷ ଭୋଟରଙ୍କ ନାଁ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲା । ଏଥିରେ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଏକାଧିକ ସ୍ଥାନରେ ପଞ୍ଜୀକୃତ ଭୋଟର ଥିବା ନିର୍ବାଚନ ଅଧିକାରୀମାନେ କହିଥିଲେ ।
କଂଗ୍ରେସକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ “ଚାଲୁଣି କହୁଛି ଛୁଞ୍ଚିକୁ” ଓ “ଗୋଳିଆ ପାଣିରୁ ମାଛ ଧରିବାକୁ କଂଗ୍ରେସ ଚେଷ୍ଟା କରୁଛି” ବୋଲି କହିଛନ୍ତି । ଏସ୍ଆଇଆର୍କୁ ନେଇ ଅଯଥା ଇସ୍ୟୁ କରାଯାଉଥିବା ଅଭିଯୋଗ କରି, ଦେଶରେ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ ଚକ୍ରାନ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । କଂଗ୍ରେସ ଆଉ ଶାସନକୁ ଫେରିପାରିବ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିବା ସହ ବିରୋଧୀଙ୍କ ପକ୍ଷରୁ ଏସ୍ଆଇଆର୍କୁ ନେଇ ଆସୁଥିବା ଅଭିଯୋଗକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ।
