ଦଶହରାରେ ଅଧିକାଂଶ ସ୍ଥାନରେ ଶୁଖିଲା ପାଗ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ରାଜ୍ୟ
Spread the love

ଭୁବନେଶ୍ୱର: ଚଳିତବର୍ଷ ଦଶହରା ସମୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । କିନ୍ତୁ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ରାଜ୍ୟର ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବା ସହ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଅକ୍ଟୋବର ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଗର ଏଭଳି ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଅକ୍ଟୋବର ୧୪ରୁ ୧୬ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

ଲଘୁଚାପଟି ଆନ୍ଧ୍ରପ୍ରଦେଶ କିମ୍ବା ତାହାର ଆହୁରି ଦକ୍ଷିଣ ଦିଗକୁ ଗତି କଲେ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିପାରେ। ତେବେ ଏହା ଦକ୍ଷିଣ ଓଡ଼ିଶା ନିକଟକୁ ଆସିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ। ଉଚ୍ଚତା ଅନୁସାରେ ପବନର ଦିଗ ଓ ବେଗରେ ପରିବର୍ତ୍ତନ ଏବଂ ଶୁଖିଲା ବାୟୁର ପ୍ରବେଶ ଯୋଗୁଁ ଏହାର ଅଧିକ ଘନୀଭୂତ ହେବାରେ ବାଧା ସୃଷ୍ଟି ହୋଇପାରେ। ଏପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ନିଶ୍ଚିତ ସୂଚନା ନାହିଁ ବୋଲି କହିଛନ୍ତି ପ୍ରଫେସର ପଶୁପାଳକ ।

ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୧୨ରୁ ୧୬ ତାରିଖ ମଧ୍ୟରେ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିବ। ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ ।

ଅକ୍ଟୋବର ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ଅଳ୍ପ କିଛି ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ସମୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିପାରେ।

ଅକ୍ଟୋବର ୨୦ ତାରିଖ ବିଜୟାଦଶମୀ ଦିନ ପାଗରେ ଉନ୍ନତି ହେବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ ଦଶହରା ପର୍ବ ପାଳନ ପାଇଁ ପାଗ ଅନୁକୂଳ ରହିପାରେ। ତେବେ ଲଘୁଚାପର ଗତିପଥ ଓ ବିକାଶ ଉପରେ ବର୍ଷାର ସମୟ ଏବଂ ପରିମାଣ ନିର୍ଭର କରିବ । ଏହା ବ୍ୟତୀତ ଏହି ସମୟରେ ଆକାଶ ନିର୍ମଳ ରହିବା ଓ ବାୟୁମଣ୍ଡଳରେ ଆର୍ଦ୍ରତା ହ୍ରାସ ପାଇବା ଯୋଗୁଁ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଛି। ବିଶେଷକରି କନ୍ଧମାଳ ଓ କୋରାପୁଟ ଜିଲ୍ଲାର ପାହାଡ଼ିଆ ଏବଂ ଉପତ୍ୟକା ଅଞ୍ଚଳରେ ଥଣ୍ଡା ଅଧିକ ଅନୁଭୂତ ହୋଇପାରେ।

ନିକଟରେ ଫୁଲବାଣୀ ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୯ରୁ ୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଆଗକୁ ପାହାଡ଼ିଆ ଅଞ୍ଚଳରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇପାରେ। ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଧୀରେ ଧୀରେ ଥଣ୍ଡା ବଢ଼ିବା ସହ ଉପକୂଳ ଓଡ଼ିଶାରେ ଭୋର ସମୟରେ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇପାରେ।

ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ଥିବାରୁ ଜମିର ସ୍ଥିତିକୁ ଦେଖି ପାକଳ ଫସଲ ଅମଳ ଓ ମଳା କାମ ଶେଷ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅମଳ ହୋଇଥିବା ଫସଲକୁ କାକର ଓ ଅଚାନକ ବର୍ଷାରୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସେହିପରି, ଜମିରେ ଆର୍ଦ୍ରତା କମ୍ ଥିଲେ ଛିଡ଼ା ଫସଲରେ ଆବଶ୍ୟକ ଅନୁସାରେ ଜଳସେଚନ କରିବା ସହ କୀଟନାଶକ ସିଞ୍ଚନ ଓ ସାର ପ୍ରୟୋଗ ପୂର୍ବରୁ ପାଣିପାଗ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହା ଏକ ପ୍ରାରମ୍ଭିକ ପୂର୍ବାନୁମାନ ହୋଇଥିବାରୁ ବଙ୍ଗୋପସାଗରରେ ଲଘୁଚାପର ସ୍ଥିତି ଓ ଗତିପଥରେ ପରିବର୍ତ୍ତନ ହେଲେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମୟ ଓ ପରିମାଣ ବଦଳିପାରେ।

Leave a Reply

Your email address will not be published. Required fields are marked *