କଟକ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ମୋଟ ଭୋଟର ୧୯.୫୨ ଲକ୍ଷ, ଲିଙ୍ଗ ଅନୁପାତ ୯୩୦

ରାଜ୍ୟ
Spread the love

କଟକ, ୨୧ ସେପ୍ଟେମ୍ବର:  ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଆଜି କଟକ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ପ୍ରକାଶିତ ଏହି ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୧୯ ଲକ୍ଷ ୫୨ ହଜାର ୬୩୦ରେ ପହଞ୍ଚିଛି। ଏଥିମଧ୍ୟରେ ୧୦ ଲକ୍ଷ ୧୧ ହଜାର ୮୧୪ ଜଣ ପୁରୁଷ, ୯ ଲକ୍ଷ ୪୦ ହଜାର ୬୫୬ ଜଣ ମହିଳା ଏବଂ ୧୮୦ ଜଣ ତୃତୀୟ ଲିଙ୍ଗର ଭୋଟର ଅନ୍ତର୍ଭୁକ୍ତ ରହିଛନ୍ତି। ଜିଲ୍ଲାରେ ଲିଙ୍ଗ ଅନୁପାତ (ଜେଣ୍ଡର ରେସିଓ) ୯୩୦ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରକାଶ ପାଇଥିବା ଚିଠା (ଡ୍ରାଫ୍ଟ) ଭୋଟର ତାଲିକାରେ ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୧୯ ଲକ୍ଷ ୩୦ ହଜାର ୬୧୫ ଥିଲା। ପରବର୍ତ୍ତୀ ସମୟରେ ଦାବି ଓ ଆପତ୍ତି ଅବଧି ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ପରେ ୨୫,୦୨୦ ଜଣ ଯୋଗ୍ୟ ନାଗରିକଙ୍କୁ ନୂତନ ଭାବେ ଭୋଟର ତାଲିକାରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ, ୩,୦୦୫ ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି, ଯେଉଁଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏବଂ ଦ୍ୱୈତ ବା ଡୁପ୍ଲିକେଟ୍ ଥିବା ଭୋଟରଙ୍କ ନାମ ରହିଛି।

ଦାବି ଓ ଆପତ୍ତି ଅବଧିରେ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ଜରିଆରେ ୨୨,୩୭୨ଟି ଆବେଦନ ଆସିଥିବା ବେଳେ ସେଥିରୁ ୧,୬୪୦ଟି ଖାରଜ କରାଯାଇଛି। ସେହିପରି ନାମ ବାଦ୍ ପାଇଁ ଫର୍ମ-୭ ଜରିଆରେ ୫,୯୮୯ଟି ଆବେଦନ ମଧ୍ୟରୁ ୨,୮୩୮ଟି ଏବଂ ତଥ୍ୟ ସଂଶୋଧନ ବା ସ୍ଥାନାନ୍ତର ପାଇଁ ଫର୍ମ-୮ ଜରିଆରେ ପ୍ରାପ୍ତ ୧୦,୫୬୪ଟି ଆବେଦନ ମଧ୍ୟରୁ ୧,୪୩୪ଟି ଆବେଦନ ଯାଞ୍ଚ ପରେ ପ୍ରତ୍ୟାଖ୍ୟାନ କରାଯାଇଛି।

ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ଯେକୌଣସି ନିଷ୍ପତ୍ତି ବିରୋଧରେ ଅସନ୍ତୁଷ୍ଟ ବ୍ୟକ୍ତି ଲୋକପ୍ରତିନିଧି ଆଇନ, ୧୯୫୦ (Representation of the People Act, 1950)ର ଧାରା ୨୪(କ) ଅନୁଯାୟୀ ଜିଲ୍ଲାପାଳଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ଏହାବ୍ୟତୀତ, ଜିଲ୍ଲାପାଳଙ୍କ ନିଷ୍ପତ୍ତି ବିରୋଧରେ ଧାରା ୨୪(ଖ) ଅନୁଯାୟୀ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ଦ୍ୱିତୀୟ ଅପିଲ୍ ଦାଖଲ କରିବାର ସ୍ପଷ୍ଟ ପ୍ରାବଧାନ ରହିଛି।

Leave a Reply

Your email address will not be published. Required fields are marked *