ଆଇ ଲଭ୍ ଜଗନ୍ନାଥପୁର ଲୋକାର୍ପିତ

ରାଜ୍ୟ
Spread the love

ଝଙ୍କଡ଼, ୧୯/୧୦: ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ଏକ ଲୋକାଭିମୁଖୀ କାର୍ଯ୍ୟ କରି ନିଜ ଅଞ୍ଚଳରେ ବେଶ୍ ଲୋକପ୍ରିୟ ହୋଇଛନ୍ତି। ନିଜ ଅଞ୍ଚଳକୁ ଭଲ ପାଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ‘ଆଇ ଲଭ୍ ଜଗନ୍ନାଥପୁର’ ଲେଖି ସେଥିରେ ସୁନ୍ଦର ଲାଇଟ୍ ଲଗାଇବା ସହିତ ସେଠାରେ ବସି ଫଟୋ ଉଠାଇବା ଭଳି ବ୍ୟବସ୍ଥା କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ସରପଞ୍ଚ ସୁଶାନ୍ତ କୁମାର ନାୟକ ପଞ୍ଚାୟତର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଡାକି ତାଙ୍କରି ହାତରେ ଏହାକୁ ଉଦ୍‌ଘାଟନ କରାଇଛନ୍ତି। ଖାଲି ସେତିକି ନୁହେଁ, ପଞ୍ଚାୟତରେ କାର୍ଯ୍ୟରତ ମିଶନ ଶକ୍ତିର ମହିଳା ଓ ଯୁବପିଢ଼ିଙ୍କୁ ମଧ୍ୟ ସରପଞ୍ଚ ଏଥିରେ ସାମିଲ କରିଥିଲେ। ଏହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥିବାରୁ ଅନେକ ସମୟରେ ସେଲ୍‌ଫି ନେବାକୁ ସେଠାରେ ଭିଡ଼ ମଧ୍ୟ ଜମୁଛି। ପ୍ରାୟ ଦୁଇ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଏହି ‘ଆଇ ଲଭ୍ ଜଗନ୍ନାଥପୁର’ ଷ୍ଟାଣ୍ଡରେ ବିଭିନ୍ନ ରଙ୍ଗର ଲାଇଟ୍ ଲାଗିଥିବା ଦେଖିବାକୁ ମିଳିଛି। ଏହା ପଞ୍ଚାୟତବାସୀ ଓ ବାଟୋଇମାନଙ୍କ ପାଇଁ ବେଶ୍ ମନଲୋଭା ହୋଇଛି। ସରପଞ୍ଚଙ୍କ ଏହି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ଏହି ଉଦ୍‌ଘାଟନ ଉତ୍ସବରେ ପଞ୍ଚାୟତର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *