ଝଙ୍କଡ଼, ୨୧/୧୦/୨୦୨୬: ତିର୍ତ୍ତୋଲ ପ୍ରଖଣ୍ଡର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଯୋଗଗୁରୁ ସ୍ମୃତିରଞ୍ଜନ ରାୟଙ୍କ ଦ୍ୱାରା ସଂଘର ଗୈରିକ ପତାକା ଉତ୍ତୋଳନ କରାଯିବା ପରେ ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରର ସୁରକ୍ଷା ଓ ରାଷ୍ଟ୍ରର ସ୍ୱାଭିମାନ ଉପରେ ସଂଘର ପଦାଧିକାରୀମାନଙ୍କ ବକ୍ତବ୍ୟ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ସଂଘର ପୁରାତନ ପ୍ରଚାରକ ରାମାୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁ ନନା) ସଂଘର ପ୍ରତିଷ୍ଠା ଦିବସର ବାର୍ତ୍ତା ରଖି କହିଥିଲେ ଯେ, ପ୍ରତିଷ୍ଠାତା ଡଃ କେଶବ ବଳିରାମ ହେଡଗେୱାରଙ୍କ ୧୯୨୫ ବିଜୟାଦଶମୀର ଶୁଭପୂଣ୍ୟ ତିଥିରେ ବିଚାର ଓ ପରାମର୍ଶ ତଥା ନାଗପୁର ସହରର ରେଶମବାଗସ୍ଥିତ ମୋହିତେ ବାଡ଼ା ଶାଖାରେ ଉପସ୍ଥିତ କେତେକ ମୁଷ୍ଟିମେୟ ସ୍ୱୟଂସେବକଙ୍କ ତ୍ୟାଗ ଯୋଗୁଁ ଆଜି ସମଗ୍ର ଭାରତବର୍ଷରେ ହିନ୍ଦୁ ସଂଗଠନର କାୟା ଧୀରେ ଧୀରେ ବୃଦ୍ଧି ପାଇଚାଲିଛି।
ଏହି ଉତ୍ସବରେ କୃଷକ ମୋର୍ଚ୍ଚାର ଜିଲ୍ଲା ସହ-ପ୍ରଭାରୀ ବିବେକାନନ୍ଦ ହୋତା, ଜିଲ୍ଲା ବୌଦ୍ଧିକ ପ୍ରମୁଖ ନାରାୟଣ ନନ୍ଦ, ବରିଷ୍ଠ ସ୍ୱୟଂସେବକ ସ୍ମୃତିରଞ୍ଜନ ଦାସ, ଶିରସ୍ତା ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ଅଭିରାମ ସେଣ୍ଡ, ସଂଘର ଜିଲ୍ଲା ସେବା ପ୍ରମୁଖ ପ୍ରଶାନ୍ତ ପଣ୍ଡା, ଖଣ୍ଡ ଶାରୀରିକ ପ୍ରମୁଖ ଚିନ୍ମୟ ଦାସ, ବିଶ୍ୱ ହିନ୍ଦୁ ପରିଷଦର ଦିଲ୍ଲୀ କାର୍ଯ୍ୟକର୍ତ୍ତା ଅଶୋକ କୁମାର ଦାଶଙ୍କ ସମେତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାବୃନ୍ଦ ଯୋଗଦେଇ ସଂଘର ଆଦର୍ଶ ଓ ବିଚାରକୁ ନେଇ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଗୈରିକ ପତାକା ନିକଟରେ ପ୍ରାର୍ଥନା କରାଯାଇ ସଭା ସାଙ୍ଗ କରାଯାଇଥିଲା।
