ପୁରୀ, ୨୨/୧୦: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ। ଏହି ଅବସରରେ ଶ୍ରୀବିଗ୍ରହମାନେ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ।
ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ପ୍ରାତଃ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ସମ୍ପନ୍ନ ହେବ। ସେହିଭଳି ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଠାକୁରଙ୍କ ବାଳଧୂପ ନୀତି ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏହି କାର୍ତ୍ତିକ ନୀତି ଜାରି ରହିବ।
ଏହି ବେଶରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ପରିଧାନ କରି ଶ୍ରୀଭୁଜରେ ସୁବର୍ଣ୍ଣ ନଳୀ ଧାରଣ କରିବେ। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ସହ ଠାକୁରମାନେ ବାରଲାଗି ପାଟ, ବିଭିନ୍ନ ପୁଷ୍ପ ଅଳଙ୍କାର, ଫୁଟା ଶିରିକାପଡ଼ା ଓ ଉତ୍ତରୀୟ ପରିଧାନ କରିବେ। ଏହି ବେଶରେ ଥାଇ ଠାକୁରଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପନ୍ନ ହେବ। ସ୍ୱତନ୍ତ୍ର ବାଳଧୂପରେ ଠାକୁରଙ୍କୁ ପାଚିଲା କଦଳୀ, ସେଓ, ଚାଉଳିଆ, ନଡ଼ିଆ ଆଦି ଫଳମୂଳ ସହ ଲିଆ, ଛତୁଆ ଆଦି ଅର୍ପଣ କରାଯିବ। ପଞ୍ଚୁକ ଅବସରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ଦ୍ୱାଦଶୀ ତିଥି କ୍ଷୟ ଥିବାରୁ ବାଙ୍କଚୂଡ଼ ତଥା ବାମନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିର କାର୍ତ୍ତିକ ନୀତି ଅନୁସାରେ ରାତି ୪ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ପ୍ରାତଃ ୫ଟାରେ ମଙ୍ଗଳ ଆଳତି, ୬ଟା ୧୫ରେ ଅବକାଶ ନୀତି ସମ୍ପନ୍ନ ହୋଇ ରାଧାଦାମୋଦର ବେଶ ଆରମ୍ଭ ହେବ। ପୂର୍ବାହ୍ନ ୮ଟାରେ ଗୋପାଳବଲ୍ଲଭ ଭୋଗ ଓ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ସକାଳଧୂପ ନୀତି ଅନୁଷ୍ଠିତ ହେବ। ଏହାପରେ ବାଳଧୂପ ଭୋଗ ଲାଗି ହେବ। ମଧ୍ୟାହ୍ନ ୧୨ଟାରେ ଭୋଗମଣ୍ଡପ ଶେଷ ହେବା ପରେ ଭକ୍ତମାନେ ଅନ୍ନମହାପ୍ରସାଦ ପାଇପାରିବେ। ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ମଧ୍ୟାହ୍ନଧୂପ ଓ ସାଢ଼େ ୨ଟା ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ। ତେବେ ଏହି ନୀତି ନିର୍ଘଣ୍ଟ କେବଳ ସୂଚନା ପାଇଁ ପ୍ରଦାନ କରାଯାଇଛି ଏବଂ ପ୍ରକୃତ ସମୟ ସେହି ଦିନର ନୀତି ସମ୍ପାଦନ ଉପରେ ହିଁ ନିର୍ଭର କରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି।
