ବ୍ରହ୍ମଗିରି: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ଅକ୍ଟୋବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଫେରି ସେବା ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।
ଜାରି କରାଯାଇଥିବା ଜରୁରୀକାଳୀନ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଜନିତ ପାଣିପାଗ ପରିବର୍ତ୍ତନ ଯୋଗୁଁ ସମୁଦ୍ର, ନଦୀ ଓ ଅନ୍ୟାନ୍ୟ ଜଳପଥରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ଘଟିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏକ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି କଠୋର ନିଷ୍ପତ୍ତି ନିଆଯାଇଛି।
ନିଷେଧାଦେଶ ଲାଗୁ ଥିବା ସମୟରେ କୌଣସି ଡଙ୍ଗା କିମ୍ବା ଫେରି ସେବା ଯେପରି ବେଆଇନ ଭାବେ ଚାଲୁ ନ ହୁଏ, ସେଥିପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ଘାଟଗୁଡ଼ିକରେ ନିୟମିତ ଯାଞ୍ଚ କରାଯିବ। ଏଥିସହ ଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଅଧିବାସୀମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବା ପାଇଁ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସମସ୍ତ ତହସିଲଦାର, ବିଡିଓ, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ କର୍ତ୍ତୃପକ୍ଷ ନିଜ ନିଜ ଏକ୍ତିଆରଭୁକ୍ତ ଅଞ୍ଚଳରେ ଏହି ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବେ। ଏହି ନିର୍ଦ୍ଦେଶକୁ ଅମାନ୍ୟ ବା ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଇଛି।
ଏହି କଟକଣା ଯୋଗୁଁ ସାତପଡ଼ା ଚିଲିକାରେ ଡଲ୍ଫିନ୍ ଦେଖିବାକୁ ତଥା ନୌବିହାର ପାଇଁ ଯାଉଥିବା ପର୍ଯ୍ୟଟକମାନେ ଉକ୍ତ ସମୟ ମଧ୍ୟରେ ଚିଲିକା ଭ୍ରମଣରୁ ବଞ୍ଚିତ ରହିବେ ଏବଂ ଏଥିପାଇଁ ପର୍ଯ୍ୟଟକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
