ଭୁବନେଶ୍ୱର: ଅଭିନବ ଉପାୟରେ ସାଇବର ଠକେଇ । ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କୁ ମାରୁଥିଲେ ଚୁନା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ମାଟ୍ରିମୋନିଆଲ ସାଇଟ୍ ରେ ଯୁବକ ଖୋଜୁଥିବା ଯୁବତୀମାନେ ହୋଇଯାଆନ୍ତୁ ସାବଧାନ୍ । ସୁନ୍ଦର ସୁନ୍ଦର ଫଟୋ ଦେଖି ଜମାରୁ କରନ୍ତୁ ନାହିଁ ଚାଟିଂ । ମିଠା ମିଠା କଥାରେ ଅଜଣା ଯୁବକଙ୍କୁ ଆଦୌ କରନ୍ତୁ ନାହିଁ ବିଶ୍ୱାସ । ସାତ ଜନ୍ମର ସାଥୀ ହେବାକୁ କହି ପ୍ରଥମେ ଦେଖାଉଛନ୍ତି ସ୍ୱପ୍ନ । ଆଉ ତାପରେ ବିଭିନ୍ନ ଆଳରେ ମାଗୁଛନ୍ତି ଟଙ୍କା । ହଁ ଆଜ୍ଞା ମାଟ୍ରିମୋନିଆଲ ସାଇଟରେ ଏବେ ମାତିଛନ୍ତି ଠକ । ଯାହାକୁ ନେଇ ଆସିଛି ଏକ ସାଙ୍ଘାତିକ ଘଟଣା ।
ମାଟ୍ରିମୋନି ସାଇଟ୍ ରେ ପରିଚୟ । ତାପରେ ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ଠକିଲେ ଯୁବକ । ଏହି ଠକ ଯୁବକ ଜଣକ ହେଲେ ଦିପ୍ତି ରାଜ ପଟ୍ଟନାୟକ । ନିଜକୁ ବ୍ୟବସାୟୀ କହି ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ତାପରେ ପର୍ଯ୍ୟାୟ କ୍ରମେ ଯୁବତୀଙ୍କ ଠାରୁ ତିନି ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏବେ ଯୁବତୀ ଜଣକ ଠକାମୀର ଶୀକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ଜଣକ । ଏପଟେ ଠକ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ୍ । ଗିରଫ ଅଭିଯୁକ୍ତ ଦୀପ୍ତିରାଜ ପଟ୍ଟନାୟକ ଜଣେ ବିବାହିତ ପୁରୁଷ । ତାଙ୍କର ୩ ସନ୍ତାନ ମଧ୍ୟ ଅଛନ୍ତି ।
ମାଟ୍ରିମୋନିଆଲ୍ ସାଇଟରେ ନିଜକୁ ଅବିବାହିତ କହି ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ । ପରେ ସେମାନଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହ ପ୍ରତିଶ୍ରୁତି ଦେଉଥିଲେ । ଏପରିକି ବିବାହ ବାବଦକୁ ଯୁବତୀଙ୍କ ପରିବାର ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଓ ଦାମୀ ଉପହାର ନେଉଥିଲେ । ଗତକାଲି ଅଭିଯୋଗକାରିଣୀଙ୍କ ସହ ଦୀପ୍ତିଙ୍କ ବଚସା ହୋଇଥିଲା । ପରେ ହାତାହାତି ହୋଇଥିଲେ । ମଦ ପିଇ ଯୁବତୀଙ୍କୁ ମାଡ଼ ମାରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏବେ ଚନ୍ଦ୍ରଶେଖରପୁର ପୋଲିସ୍ ଦୀପ୍ତି ରାଜଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ତେବେ ବିଶ୍ୱାସ କରିଥିବା ମଣିଷଟି ଧୋକେବାଜ୍ ବାହାରିବା ପରେ ଯୁବତୀ ଏବେ ନ୍ୟାୟ ପାଇଁ ଥାନାରେ । ଶେଷରେ ଭାଗ୍ୟକୁ ନିନ୍ଦି ଏବେ ଥାନାର ଦ୍ୱାରସ୍ଥ ହେବା ଛଡା ତାଙ୍କ ପାଖରେ ଆଉ କିଛି ବାଟ ନାହିଁ । ଏମିତି କାହାକୁ ଆଖି ବନ୍ଦ କରି ବିଶ୍ୱାସ ନ କରିବାକୁ ମଧ୍ୟ ଯୁବତୀ ପରାମର୍ଶ ଦେଇଛନ୍ତି ।