ଝଙ୍କଡ଼ : ଚୋରା ନିଶା କାରବାର ବିରୋଧରେ ତିର୍ତ୍ତୋଲ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ ବେଳେ ଏକ ସ୍କୁଟିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହେବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତିର୍ତ୍ତୋଲ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଯେ ଜଣେ ବ୍ୟକ୍ତି ବେଆଇନ ଭାବେ ସ୍କୁଟି ଯୋଗେ ଜଇପୁର ଆଡ଼କୁ ଦେଶୀ ମଦ ଚାଲାଣ କରୁଛନ୍ତି। ଖବର ପାଇ ପୋଲିସ ତୁରନ୍ତ ଛପଡ଼ା ରେଳ ଫାଟକ ନିକଟରେ ଜଗି ରହିଥିଲା। ସେହି ବାଟ ଦେଇ ଯାଉଥିବା ଏକ ଧଳା ରଙ୍ଗର ଆକ୍ଟିଭା ସ୍କୁଟିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪ଟି କାର୍ଟୁନ୍ ମିଳିଥିଲା।
ଉକ୍ତ କାର୍ଟୁନଗୁଡ଼ିକରୁ ମୋଟ ୧୦୦ଟି ‘ଆସ୍କା-୪୦’ ଦେଶୀ ମଦ ବୋତଲ ମିଳିଥିଲା। ପ୍ରତି ବୋତଲରେ ୨୦୦ ମିଲି ହିସାବରେ ସମୁଦାୟ ୨୦ ଲିଟର ମଦ ଥିବା ଜଣାପଡ଼ିଛି।
ପୋଲିସ ବିହିତ ନିୟମ ଅନୁଯାୟୀ ମଦ ଓ ଚାଲାଣରେ ବ୍ୟବହୃତ ସ୍କୁଟରକୁ ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତ ସୂର୍ଯ୍ୟ ନାରାୟଣ ଦାସ (୩୯), ପିତା- ଅନାଦି ଚରଣ ଦାସ, ସାକିନ- କଣ୍ଟାପଡ଼ା, ଥାନା- ତିର୍ତ୍ତୋଲଙ୍କୁ ଗିରଫ କରାଯାଇଛି।
ଏ ନେଇ ତିର୍ତ୍ତୋଲ ଥାନାରେ କେସ୍ ନଂ ୩୭୩, ତା ୨୫.୧୦.୨୦୨୬, ଦଫା ୫୨(ଏ) ଓଡ଼ିଶା ଅବକାରୀ ଆଇନ (୨୦୦୮) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।
