ହଜରତ୍ ମଦାର ଶାହା ବାବାଙ୍କ ବାର୍ଷିକ ଉର୍ସ ଉତ୍ସବ ଅନୁଷ୍ଠିତ

ରାଜ୍ୟ
Spread the love

କଟକ ସଦର, (୨୭/୧୦): କଟକ ସଦର ସୋମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଥୋରିଆପଡ଼ାଠାରେ ଥିବା ହଜରତ୍ ମଦାର ଶାହା ବାବାଙ୍କ ବାର୍ଷିକ ଉର୍ସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାବାଙ୍କ ନିକଟରେ ମନାସିଥିବା ପ୍ରତ୍ୟେକ ମନୋବାଞ୍ଛା (ମନ୍ନତ) ପୂରଣ ହୋଇଥାଏ। ଏହି ଦୃଢ଼ ବିଶ୍ୱାସକୁ ମନରେ ରଖି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ଏହି ଉର୍ସ ଉତ୍ସବରେ ସାମ୍ପ୍ରଦାୟିକ ସଦ୍‌ଭାବ ଓ ଭାଇଚାରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସତ୍ୟ ଜେନା, ଆଇନଜୀବୀ ଅଜଗର ଅଲି, ସୟଦ ନୁର ଅଲି, ଅଭୟ କୁମାର ସାହୁ ଏବଂ ପ୍ରମୋଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଏତାଦୃଶ ମହତ ଉଦ୍ୟମର ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହିଭଳି ପାରସ୍ପରିକ ସ୍ନେହ ଓ ଭାଇଚାରା ସବୁକ୍ଷେତ୍ରରେ ବଜାୟ ରଖିବା ପାଇଁ ଆଶାପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ତୟୁବ୍ ଖାନ୍, ସଭାପତି ସଲାମ୍ ଖାନ୍, ମାର୍ଫତଦାର ଜହର ଅଲି ଖାନ, ସଲିମ ଖାନ୍, ଅୟାସ ଖାନ୍, ହଲିମ୍ ଖାନ୍, ରଉଫ ଖାନ୍, ସହିଦ ଖାନ୍, ନ୍ୟାମତ ଖାନ୍, ଓକିଲ ଖାନ୍, କୟୁମ୍ ଖାନ୍, ବାବୁ ଖାନ୍, ସଲମାନ୍ ଖାନଙ୍କ ସମେତ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳରୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ବାବାଙ୍କ ମଜାରରେ ଚାଦର ଚଢ଼ାଇ ଦେଶ ତଥା ରାଜ୍ୟର ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।

Leave a Reply

Your email address will not be published. Required fields are marked *