କଟକ, ତା. ୦୪/୧୧ (ଆପ୍ର): ଯୋବ୍ରାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସାରସ୍ୱତ ସେବାମଞ୍ଚ ମାହାଙ୍ଗା ଏବଂ ସରସ୍ୱତୀ ଶିଶୁମନ୍ଦିର ଯୋବ୍ରାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ ସାହିତ୍ୟ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଭାବଗ୍ରାହୀ ରାଉତ ଅଧ୍ୟକ୍ଷତା କରିଥିଲେ।
ଏହି ସାରସ୍ୱତ ଉତ୍ସବକୁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ବିଶିଷ୍ଟ ସମାଜସେବୀ ବ୍ରଜେନ୍ଦ୍ର ରାୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ନିଜର ବକ୍ତବ୍ୟ ରଖି ଗଣକବିଙ୍କ ଅମୂଲ୍ୟ ସାହିତ୍ୟକୃତିକୁ ନୂଆ ପିଢ଼ିର ଛାତ୍ରଛାତ୍ରୀ ଓ ଯୁବସମାଜଙ୍କ ନିକଟତର କରିବା ପାଇଁ ବ୍ୟାପକ ସାମୂହିକ ଉଦ୍ୟମ ହେବା ନିତାନ୍ତ ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ। ଗଣକବି ବୈଷ୍ଣବ ପାଣି କେବଳ ଜଣେ କବି ନଥିଲେ, ବରଂ ସେ ଥିଲେ ଜଣେ ଯୁଗଦ୍ରଷ୍ଟା ତଥା କ୍ରାନ୍ତିଦ୍ରଷ୍ଟା ପୁରୁଷ। ତାଙ୍କ ରଚିତ ଗୀତିନାଟ୍ୟ ଓ ନାଟକଗୁଡ଼ିକରେ ସମାଜର ସବୁଠାରୁ ତଳ ସ୍ତରରେ ପଡ଼ିରହିଥିବା ଖଟିଖିଆ ମେହେନତି ମଣିଷର ଜୀବନ ସଂଘର୍ଷ ତଥା ବାସ୍ତବ ଚିତ୍ର ଅତ୍ୟନ୍ତ ନିଖୁଣ ଭାବରେ ପ୍ରତିଫଳିତ ହୋଇପାରିଛି ବୋଲି ସଭାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଏକସ୍ୱରରେ ମତ ପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ପ୍ରଫେସର ଡକ୍ଟର ଅଜୟ କୁମାର ମିଶ୍ର ଯୋଗଦେଇ ଗଣକବିଙ୍କ ସାହିତ୍ୟିକ ଦିଗନ୍ତ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ଯୋଗଦେଇ ଗଣକବିଙ୍କ କାଳଜୟୀ ସାହିତ୍ୟକୁ ଓଡ଼ିଆ ଜାତି ତଥା ସମଗ୍ର ସାରସ୍ୱତ ଭଣ୍ଡାରର ଏକ ଅମୂଲ୍ୟ ସମ୍ପଦ ବୋଲି ଅଭିହିତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡକ୍ଟର ବିଜୟାଲକ୍ଷ୍ମୀ ଦାଶ ଯୋଗଦେଇ ଗଣକବିଙ୍କୁ ଜଣେ ମହାନ ମାନବବାଦୀ କବି ଭାବେ ବର୍ଣ୍ଣନା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଜ୍ଞାନଗୁରୁ ଦାସ ଯୋଗଦେଇ ପାଣି ସାହିତ୍ୟର ସାମାଜିକ ପ୍ରାସଙ୍ଗିକତା ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ସମାବେଶରେ ବରିଷ୍ଠ ସାମ୍ବାଦିକ ପ୍ରତାପ ସାହୁ, ସାମ୍ବାଦିକ ଦୀପକ ମଙ୍ଗରାଜ ଏବଂ ସାମ୍ବାଦିକ ପ୍ରଦୀପ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ ବହୁ ସଂଖ୍ୟାରେ ବିଦ୍ୟାର୍ଥୀ ଉପସ୍ଥିତ ରହି ସାରସ୍ୱତ ଆଲୋଚନାକୁ ଉପଭୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା କାର୍ଯ୍ୟ ସାଙ୍ଗ ହୋଇଥିଲା।
