ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୭ (ଶନିବାର) କେରଳର କୋଚିରେ ଏସଆଇଆର (SIR) ବିରୋଧରେ ବିରାଟ ଆନ୍ଦୋଳନ କରିବ କକ୍ରୋଚ୍ ଜନତା ପାର୍ଟି (CJP)। ‘କୋଚିରେ ଜନ୍ତର ମନ୍ତର’ ନାମରେ ନାମିତ ଏହି ଆନ୍ଦୋଳନ କୋଚିର ରାଜେନ୍ଦ୍ର ମଇଦାନଠାରେ ଅପରାହ୍ନ ୪ଟାରୁ ଅନୁଷ୍ଠିତ ହେବ। ବିବାଦୀୟ SIR ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିବା ଦାବିରେ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ। ଏହି ପରିପ୍ରେକ୍ଷୀରେ ସିଜେପି ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ (ପୂର୍ବର ଟ୍ୱିଟର)ରେ ‘ଗଣତନ୍ତ୍ର ବଞ୍ଚାଅ, SIR ରଦ୍ଦ କର’ ବୋଲି ସର୍ବସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି।
ଏହି ବିଶାଳ ଆନ୍ଦୋଳନରେ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ନିଜେ ଯୋଗଦେବେ। ତାଙ୍କ ସହିତ ଦଳର ଦକ୍ଷିଣ ମଣ୍ଡଳ ମୁଖ୍ୟ ବିଜୟ ମଲ୍ଲାଙ୍ଗୀ ଏବଂ ଜାତୀୟ ସମ୍ପାଦିକା ଆଫ୍ରିନ୍ ନୱାଜ ମଧ୍ୟ କୋଚିରେ ଅନୁଷ୍ଠିତ ହେବାକୁ ଥିବା ଏହି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୂର୍ବରୁ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସିଜେପିର ବରିଷ୍ଠ ନେତାମାନେ ଗିରଫ ହୋଇଥିଲେ। ତେଣୁ ସେହି ଘଟଣା ପରେ କୋଚିରେ CJP ପକ୍ଷରୁ ଏହା ପ୍ରଥମ ବଡ଼ ଧରଣର ପ୍ରଦର୍ଶନ ହେବାକୁ ଯାଉଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ସଜାଗ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଦିଲ୍ଲୀ ପୁଲିସ ସିଜେପି ମୁଖ୍ୟ ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ବିନା ଅନୁମତିରେ ଜନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଅଟକ ରଖିଥିଲା। ସରକାର ଜନ୍ତର ମନ୍ତରକୁ ଧାରଣା ସ୍ଥଳ ତାଲିକାରୁ ବାତିଲ କରିଦେଇଥିଲେ। ତଥାପି ସୌରଭ ଓ ଆଶୁତୋଷ ସେଠାରେ ପହଞ୍ଚି ଜାତୀୟ ପତାକା ଉଡ଼ାଇ ପ୍ରତିବାଦ ସାବ୍ୟସ୍ତ କରିବାରୁ ପୁଲିସ ସେମାନଙ୍କୁ ଗିରଫ କରି ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜେଲ୍ରେ ରଖିଥିଲା। ପରବର୍ତ୍ତୀ ସମୟରେ ଜନ୍ତର ମନ୍ତରରେ ଆଉ କୌଣସି ଆନ୍ଦୋଳନ ନ କରିବା ପାଇଁ ଲିଖିତ ଅଣ୍ଡରଟେକିଂ (ପ୍ରତିଶ୍ରୁତିପତ୍ର) ଦେବା ପରେ ଯାଇ ସେମାନେ ଜେଲ୍ରୁ ମୁକୁଳିଥିଲେ। ଆଉ ଏବେ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ସ୍ୱର ଶାଣିତ କରି କେରଳର କୋଚି ମାଟିରେ ସିଜେପି ଏକ ବଡ଼ ଆନ୍ଦୋଳନର ଡାକରା ଦେଇଛି।
