ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଲାଗି ରହିଥିବା ଦିଲ୍ଲୀ ବାୟୁସେନା ଷ୍ଟେସନର ପ୍ରାୟ ୩୯.୫ ଏକର ଜମି ଏବେ କେନ୍ଦ୍ର ସରକାରଙ୍କ ଭୂମି ଓ ବିକାଶ କାର୍ଯ୍ୟାଳୟ (ଏଲ୍ ଆଣ୍ଡ ଡିଓ) ଅଧୀନକୁ ଆସିଛି। କୌଣସି ପରିବର୍ତ୍ତନ ବିନା ‘ଯେଉଁ ଅବସ୍ଥାରେ ଅଛି ସେହି ଅବସ୍ଥାରେ’ ଏହି ଜମିକୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ସୂତ୍ର ଅନୁସାରେ, ପ୍ରତିରକ୍ଷା ସମ୍ପତ୍ତି କାର୍ଯ୍ୟାଳୟ, ଭାରତୀୟ ବାୟୁସେନା ଓ ଏଲ୍ଆଣ୍ଡଡିଓର ଏକ ସ୍ୱତନ୍ତ୍ର ମିଳିତ ଟିମ୍ ଦ୍ୱାରା ଜମିର ମୋଟ କ୍ଷେତ୍ରଫଳ ଯାଞ୍ଚ କରିବା ପାଇଁ ଏକ ଯୁଗ୍ମ ସର୍ଭେ କରାଯିବ। ଏହି ମିଳିତ ସର୍ଭେକ୍ଷଣ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ଜମିର କୌଣସି ହ୍ରାସ ଅଥବା ବୃଦ୍ଧି ଘଟିଛି କି ନାହିଁ, ତାହା ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ।
ରେସକୋର୍ସ ଏୟାରଫୋର୍ସ ଷ୍ଟେସନ କମ୍ପ୍ଲେକ୍ସ ମଧ୍ୟରେ ଏକ ବିଶାଳ ଗଲ୍ଫ କୋର୍ସ, ସ୍ୱିମିଂ ପୁଲ୍, ବ୍ୟାଡମିଣ୍ଟନ କୋର୍ଟ ସମେତ ଅନ୍ୟାନ୍ୟ ଅତ୍ୟାଧୁନିକ କ୍ରୀଡ଼ା ସୁବିଧା ଉପଲବ୍ଧ ରହିଛି। ପ୍ରକୃତରେ ଏଲ୍ଆଣ୍ଡଡିଓ ପକ୍ଷରୁ ୩୯.୯ ଏକର ଜମି ଫେରସ୍ତ ପାଇଁ ଅନୁରୋଧ କରାଯାଇଥିଲା। ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୯.୫ ଏକର ଜମି ବାୟୁସେନା ପକ୍ଷରୁ ହସ୍ତାନ୍ତର କରାଯାଇଛି। ଏହି ଜମି ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନର ଅତ୍ୟନ୍ତ ନିକଟରେ ଅବସ୍ଥିତ। କେନ୍ଦ୍ର ସରକାର ଗତ କିଛି ସମୟ ଧରି ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗ ଆଖପାଖରେ ଥିବା ସରକାରୀ ଜମି ପୁନରୁଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଏହି ସ୍ପୋର୍ଟସ କମ୍ପ୍ଲେକ୍ସକୁ ବନ୍ଦ କରାଯିବାର କିଛି ଦିନ ପରେ ହିଁ ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ତେବେ ସରକାରଙ୍କର ଏହି ନିଷ୍ପତ୍ତି ଭାରତୀୟ ବାୟୁସେନାର ବହୁ ପୁରାତନ ତଥା ଦୀର୍ଘକାଳୀନ ପରମ୍ପରାକୁ ମଧ୍ୟ ପ୍ରଭାବିତ କରିଛି।
ସାଧାରଣତଃ ବାୟୁସେନା ମୁଖ୍ୟଙ୍କ ଅବସର କାଳୀନ ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ହେଉଥିବା ପାରମ୍ପରିକ ତଥା ସ୍ୱତନ୍ତ୍ର ‘ଗଲ୍ଫିଂ ଆଉଟ୍’ ସମାରୋହ ଚଳିତ ବର୍ଷ ଆୟୋଜନ ହୋଇପାରି ନାହିଁ। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ନିଜ କାର୍ଯ୍ୟକାଳ ଶେଷ କରିବା ପରେ ଗତ ଅକ୍ଟୋବର ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି। ତେବେ ନିଜର ଅବସର ପୂର୍ବରୁ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଏକ ଚିଠି ଲେଖି ଏହି ଜମି ହସ୍ତାନ୍ତର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଥିଲେ। ଉକ୍ତ ପତ୍ରରେ ସେ ଏହି ବାୟୁସେନା ଷ୍ଟେସନର ସାମରିକ ଗୁରୁତ୍ୱ ଓ ସେଠାରେ ଉପଲବ୍ଧ ଥିବା ଅତ୍ୟାବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ଉଦ୍ବେଗ ପ୍ରକାଶ କରିଥିଲେ। ବିଶେଷ କରି ସମ୍ବେଦନଶୀଳ ଭିଭିଆଇପି ଅଞ୍ଚଳରେ ଡ୍ରୋନ୍ ଭଳି ସମ୍ଭାବ୍ୟ ଆକାଶୀୟ ବିପଦର ମୁକାବିଲା କରିବା କ୍ଷେତ୍ରରେ ଏହି ଏୟାରଫୋର୍ସ ଷ୍ଟେସନ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ସେ ସମ୍ପର୍କରେ ମଧ୍ୟ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ।
ତେବେ କେବଳ ଏୟାରଫୋର୍ସ ଷ୍ଟେସନ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନୁହେଁ, ବରଂ ଲୋକକଲ୍ୟାଣ ମାର୍ଗ ଏବଂ ଲୁଟିୟନ୍ସ ଦିଲ୍ଲୀର ଆଖପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଜମିକୁ କେନ୍ଦ୍ର ସରକାର ପୁଣି ଥରେ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ଏଥିମଧ୍ୟରୁ ଅଧିକାଂଶ ପ୍ରାଇମ୍ ଲ୍ୟାଣ୍ଡ ଦୀର୍ଘ ବର୍ଷ ଧରି ବିଭିନ୍ନ ବେସରକାରୀ ସଂସ୍ଥା, ଟ୍ରଷ୍ଟ ଓ କ୍ଲବଗୁଡ଼ିକର ହାତରେ ଲିଜ୍ ସୂତ୍ରରେ ରହିଥିଲା। ଗତ ଅଗଷ୍ଟ ମାସରେ ଏଲ୍ ଆଣ୍ଡ ଡିଓ ଦିଲ୍ଲୀ ରେସ୍ କ୍ଲବ୍ ଅଧୀନରେ ଥିବା ୫୩.୨୪ ଏକର ଜମିକୁ ନିଜ ହାତକୁ ନେଇ କେନ୍ଦ୍ରୀୟ ଲୋକନିର୍ମାଣ ବିଭାଗ (ସିପିଡବ୍ଲୁଡି)କୁ ପ୍ରଦାନ କରିଥିଲା। ସେହିପରି ଗତ ଜୁନ୍ ମାସରେ ପ୍ରସିଦ୍ଧ ଜୟପୁର ପୋଲୋ ଗ୍ରାଉଣ୍ଡର ୧୫.୨୦ ଏକର ଜମି ସରକାରଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା, ଯାହାକି ଦୀର୍ଘ ଦିନରୁ ଇଣ୍ଡିଆନ୍ ପୋଲୋ ଆସୋସିଏସନ୍ ନିକଟରେ ଥିଲା। ଏହା ପୂର୍ବରୁ ମେ ମାସରେ ମଧ୍ୟ କେନ୍ଦ୍ର ସରକାର ଦିଲ୍ଲୀ ଜିମଖାନା କ୍ଲବର ୨୭ ଏକର ଜମିର ଲିଜ୍ ଚୁକ୍ତିକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିଦେଇଥିଲେ। ତେବେ କ୍ଲବ୍ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ତଥା ସରକାରୀ ଜମିର ସଠିକ୍ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ଏଭଳି କଠୋର ପଦକ୍ଷେପ ଜାରି ରହିଛି।
