ବାଲିଚନ୍ଦ୍ରପୁର (ଯାଜପୁର): ଆଲୋକ ଓ ଉତ୍ସାହର ପର୍ବ ଦୀପାବଳିର ଠିକ୍ ପୂର୍ବ ରାତିରେ ଯାଜପୁର ଜିଲ୍ଲାରେ ଘଟିଯାଇଛି ଏକ ଅତ୍ୟନ୍ତ ହୃଦୟବିଦାରକ ଅଘଟଣ। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗ୍ରାମ ଶେଖ୍ ମହଲାରେ ଶନିବାର ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସେକ୍ ନିଜାମୁଦ୍ଦିନଙ୍କ ଆଜବେଷ୍ଟସ୍ ଛପର ଘରେ ଶନିବାର ରାତି ପ୍ରାୟ ୮ଟା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଘର ଭିତରେ ଥିବା ଖଟରେ ପରିବାର ଲୋକେ ଶୋଇଥିଲେ। ମୃତକମାନେ ହେଲେ ନିଜାମୁଦ୍ଦିନଙ୍କ ବଡ଼ବୋହୂ ତବସୁମ ବିବି (୪୦), ଶାଶୂଘରୁ ବୁଲି ଆସିଥିବା ଝିଅ ଗୁଲଫସା ବିବି (୨୬), ଗୁଲଫସାଙ୍କ ୧୧ ବର୍ଷର ଝିଅ ରୋସନି ଏବଂ ମାତ୍ର ୮ ମାସର ପୁଅ ଅରହମ୍। ମୃତ୍ୟୁର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡ଼ିକ ଚିହ୍ନିବା ଅସମ୍ଭବ ହୋଇପଡ଼ିଥିଲା। ଘଟଣାସ୍ଥଳରେ ୮ ମାସର ଶିଶୁ ଅରହମ୍ ମୃତ୍ୟୁବେଳେ ନିଜ ଭଉଣୀ ରୋସନିକୁ ଜାବୋଡ଼ି ଧରିଥିବା ଦୃଶ୍ୟ ଉଦ୍ଧାରକାରୀଙ୍କ ଆଖିରେ ଲୁହ ଭରିଦେଇଥିଲା।
ଅନ୍ୟପକ୍ଷରେ, ଘରର ଦ୍ୱାରମୁହଁ ନିକଟରେ ଛିଡ଼ା ହୋଇଥିବା ତବସୁମଙ୍କ ୧୮ ବର୍ଷୀୟ ପୁଅ ଇଜହାର୍ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ ମଧ୍ୟ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରୋଷେଇ ଘର ଏବଂ ଶୋଇବା ଘରର ଦ୍ୱାର ଗୋଟିଏ ଥିବାରୁ ଏବଂ ନିଆଁ ସିଧାସଳଖ ଦ୍ୱାରମୁହଁରେ ଲାଗିଯିବାରୁ ଭିତରେ ଥିବା ଲୋକେ ବାହାରକୁ ବାହାରିବାର କୌଣସି ରାସ୍ତା ପାଇନଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଚଣ୍ଡୀଖୋଲ ଅଗ୍ନିଶମ କେନ୍ଦ୍ରର ୧୦ ଜଣିଆ ଟିମ୍ ଫାୟାର ଅଫିସର ସନ୍ତୋଷ କୁମାର ସ୍ୱାଇଁ ଏବଂ ଏଏସଓ ଶ୍ରୀରାମଚନ୍ଦ୍ର ହାଁସଦାଙ୍କ ନେତୃତ୍ୱରେ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ। ମାତ୍ର ଅଣଓସାରିଆ ଗଳିରାସ୍ତା ଏବଂ ଉପରେ ଝୁଲୁଥିବା ୧୧ କେଭି ବିଦ୍ୟୁତ୍ ତାର ଯୋଗୁଁ ଦମକଳ ଗାଡ଼ି ଗାଁ ଭିତରକୁ ଯାଇପାରି ନଥିଲା। ପରେ ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ଏକ କିଲୋମିଟର ବାଟ କାନ୍ଧରେ ପୋର୍ଟେବୁଲ୍ ପମ୍ପ ବୋହି ନେଇଥିଲେ ଏବଂ ନିକଟସ୍ଥ ଏକ ପୋଖରୀରୁ ୧୦ଟି ପାଇପ୍ ସଂଯୋଗ କରି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଯୁବକମାନେ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ନିଆଁ ଲିଭାଇବା ଏବଂ ଉଦ୍ଧାର କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ବାଲିଚନ୍ଦ୍ରପୁର ଥାନା ଆଇଆଇସି ଦିଲ୍ଲୀପ କୁମାର ମହାନ୍ତି ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ମୃତଦେହଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଶୋଇବା ଘରେ ଥିବା ଏସି ଏବଂ ଷ୍ଟାବିଲାଇଜର୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବାରୁ ପ୍ରାଥମିକ ଭାବେ ଏହାକୁ ବିଦ୍ୟୁତ୍ ସର୍ଟସର୍କିଟ୍ ବୋଲି ସନ୍ଦେହ କରାଯାଉଛି। ତେବେ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପିଥିବାରୁ ଘର ଭିତରେ କୌଣସି ଦହନଶୀଳ ତରଳ ପଦାର୍ଥ (ଫ୍ଲେମେବଲ୍ ଲିକ୍ୱିଡ୍) ଥାଇପାରେ ବୋଲି ଚଣ୍ଡୀଖୋଲ ଫାୟାର ଅଫିସର ଆଶଙ୍କା ପ୍ରକାଶ କରିଛନ୍ତି।
ଦୀପାବଳି ପୂର୍ବରୁ ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
