ମାହାଙ୍ଗା, ୦୯/୧୧ (ଆପ୍ର): କୁମୁଡ଼ା ଜୟୀପୁର ଫାଣ୍ଡି ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଗ୍ରାମସ୍ଥିତ ପ୍ରସିଦ୍ଧ ରାଧାକୃଷ୍ଣ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଅଳଙ୍କାର ଚୋରି ହୋଇଥିବା ନେଇ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି।
ଏହି ପ୍ରାଚୀନ ତଥା ପ୍ରସିଦ୍ଧ ମନ୍ଦିରରେ ଶ୍ରୀରାଧାକୃଷ୍ଣ ଏବଂ ହରିହରଙ୍କୁ ନିଷ୍ଠାର ସହ ପୂଜାର୍ଚ୍ଚନା କରାଯାଇଥାଏ। ଠାକୁରମାନଙ୍କ ପାଇଁ ରୁପାରେ ନିର୍ମିତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଳଙ୍କାର ପୂଜକମାନେ ତାଙ୍କୁ ଶ୍ରଦ୍ଧାର ସହ ପରିଧାନ କରାଇବାର ପାରମ୍ପରିକ ବିଧି ବ୍ୟବସ୍ଥା ରହିଛି। ତେବେ ଶ୍ରୀରାଧାକୃଷ୍ଣଙ୍କ ମଥାରେ ଶୋଭା ପାଉଥିବା ୨ଟି ମୂଲ୍ୟବାନ ରୁପାର ମୁକୁଟ ଗତ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ସୋମବାର ସକାଳେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ।
ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସମେତ ଭିତର ପଟେ ଲାଗିଥିବା ୩ଟି ଦ୍ୱାରର କବାଟ ଓ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଏହି ବଡ଼ ଧରଣର ଲୁଟପାଟ କରିଥିବା ନେଇ ପୁଲିସ ନିକଟରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ମାହାଙ୍ଗା ଥାନା ଆଇଆଇସି ଯୁଗଳ କିଶୋର ଦାସ ଓ ଫାଣ୍ଡି ଅଧିକାରୀ ବିମ୍ବାଧର ମଲ୍ଲିକ ପ୍ରମୁଖ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଡକାଯାଇ ସୁରାକ ଖୋଜାଯିବା ନେଇ ବ୍ୟବସ୍ଥା କରାଯାଉଛି।
ପବିତ୍ର ଧାର୍ମିକ ପୀଠରୁ ଏଭଳି ଦୁଃସାହସିକ ଭାବେ ଲୁଟ୍ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଅସନ୍ତୋଷ ପ୍ରକାଶ ପାଇଛି। ଚୋରି ହୋଇଥିବା ସମସ୍ତ ଅଳଙ୍କାରକୁ ଶୀଘ୍ର ଉଦ୍ଧାର କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ବିଧାନ କରିବା ପାଇଁ ଗ୍ରାମବାସୀ ତଥା ଶ୍ରଦ୍ଧାଳୁମାନେ ଦୃଢ଼ ଦାବି କରିଛନ୍ତି।
