ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ବରେ ୫ ଦଫା ନେଇ ବ୍ଲକ ଘେରାଉ କାର୍ଯ୍ୟକ୍ରମ

ରାଜ୍ୟ
Spread the love

ଝଙ୍କଡ଼, ୯/୧୧: ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ୫ ଦଫା ଦାବି ନେଇ ଆଜି ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ ଏବଂ ତିର୍ତ୍ତୋଲ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ଯୁଗ୍ମ ନେତୃତ୍ୱରେ ତଥା ବ୍ଲକ କଂଗ୍ରେସ ସଭାପତି ସଫି ଆଜମଙ୍କ ପରିଚାଳନାରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କର୍ମୀମାନେ କଟକ-ପାରାଦ୍ୱୀପ ରାସ୍ତାର ନେହେରୁ ବଜାର ନିକଟରୁ ଶୋଭାଯାତ୍ରାରେ ବାହାରି ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ସଭାସ୍ଥଳରେ ପହଞ୍ଚି କାର୍ଯ୍ୟାଳୟ ଘେରାଉ କରିଥିଲେ।

ଏହି ବିକ୍ଷୋଭ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ, ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଡଃ ଲଲାଟେନ୍ଦୁ ମହାପାତ୍ର, ଓପିସିସି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିଶ୍ୱଜିତ ଦାସ, ସହ-ପ୍ରଭାରୀ ମାନସ କର, ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବପ୍ରସାଦ ନାୟକ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମହମ୍ମଦ ଅବଦୁଲ ଓ୍ୱାହିଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କଟକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ନାୟକ, ସାଧାରଣ ସମ୍ପାଦକ ଶୁଭ ନାରାୟଣ ନାୟକ, ଧନଞ୍ଜୟ ସୁତାର ଏବଂ ବ୍ଲକ ଉପସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ଚାଲିଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ବ୍ଲକ ପ୍ରଶାସନକୁ କଡ଼ା ଜବାବ ମାଗିଥିଲେ।

ବୃଦ୍ଧବୃଦ୍ଧା, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବ ତଥା ନୂତନ ଭତ୍ତା ଯୋଗାଇବାରେ ବିଜେପି ସରକାରର ଅସମର୍ଥତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ୍ ଦେବା, ରାସନ କାର୍ଡ ପ୍ରଦାନରେ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ପଡ଼ିବା ସହ ନୂଆ ନାମ ଯୋଡ଼ିବାରେ ବ୍ୟାପକ ଅନିୟମିତତା, ‘ସୁଭଦ୍ରା’ ଯୋଜନାରେ ମହିଳାମାନଙ୍କ ନାମକୁ ଭୁଲ ତଥ୍ୟ ଆଧାରରେ ବାଦ୍ ଦେବା ବିରୋଧରେ ତଥା ବିଭିନ୍ନ ଗ୍ରାମପଞ୍ଚାୟତର ମୌଳିକ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦାବିରେ ଏହି ବ୍ଲକ ଘେରାଉ କରାଯାଇଥିଲା। ଏହି ସମସ୍ତ ଜନବିରୋଧୀ ନୀତିକୁ କଂଗ୍ରେସ କେବେ ମଧ୍ୟ ବରଦାସ୍ତ କରିବ ନାହିଁ ଏବଂ ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ତେନ୍ତୁଳିପଦା ସରପଞ୍ଚ ସରୋଜିନୀ ପରିଜା, ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି, ମୂଳିସିଂ ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ କୁମାର ସାହୁଙ୍କ ସମେତ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହି ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *