ଜମ୍ମୁ: ଦକ୍ଷିଣ କାଶ୍ମୀର କୁଲଗାଓଁ ଜିଲ୍ଲାର ଅଖରନ-ନୌପୁରା ଅଞ୍ଚଳରେ ବୁଧବାର ଏକ ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହି ଅତର୍କିତ ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ୩ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁଳିମାଡ଼ କରିବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କୁ ଧରିବା ତଥା ଖୋଜି ବାହାର କରିବା ପାଇଁ ସୁରକ୍ଷା ବାହିନୀ ପୂରା ଅଞ୍ଚଳକୁ ଚାରିପଟୁ ଘେରାଉ କରିବା ସହ ବ୍ୟାପକ ତଲାସି ଅଭିଯାନ ଜାରି ରଖିଛନ୍ତି। ଏହି ବର୍ବରୋଚିତ ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ପ୍ରତ୍ୟକ୍ଷ ଭାବେ ଦାୟୀ କରିନାହାନ୍ତି। ତଥାପି, ପ୍ରାଥମିକ ସୂତ୍ରରୁ ଆଶଙ୍କା କରାଯାଉଛି ଯେ ପାକିସ୍ତାନ ପ୍ରାୟୋଜିତ ଲସ୍କର-ଏ-ତୋଇବାର ହିଟ୍ ସ୍କ୍ୱାର୍ଡ ଭାବେ ପରିଚିତ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆର୍ଏଫ୍)ର କୁଖ୍ୟାତ ଆତଙ୍କବାଦୀ ଲତିଫ ବଟ୍ଟର ମଡ୍ୟୁଲ୍ ଏହି କାଣ୍ଡ ଭିଆଇଛି।
ସୂଚନା ଅନୁସାରେ, କୁଲଗାଓଁର ଅଖରନ-ନୌପୁରା ନିକଟରେ ସିଆର୍ପିଏଫ୍ର ୪୬ତମ ବାହିନୀର ଯବାନମାନେ ନିୟମିତ ନାକା ଯାଞ୍ଚ କରୁଥିଲେ। ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍ ସମୟରେ ଏକ ମୋଟରସାଇକେଲରେ ଆସିଥିବା ଦୁଇଜଣ ଅଜ୍ଞାତ ସନ୍ଦିଗ୍ଧ ଯୁବକ ହଠାତ୍ ନାକା ନିକଟରେ ପହଞ୍ଚିଥିଲେ ଏବଂ ଡ୍ୟୁଟିରେ ମୁତୟନ ଥିବା ଯବାନମାନଙ୍କୁ ଲକ୍ଷ୍ୟ କରି ଅନ୍ଧାଧୁନ୍ଦିଆ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ଏହି ଅପ୍ରତ୍ୟାଶିତ ଆକ୍ରମଣରେ ଡ୍ୟୁଟିରତ ୩ ଜଣ ସିଆର୍ପିଏଫ୍ ଯବାନ ଗୁଳିବାଜି ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଯବାନମାନେ ସତର୍କ ହୋଇ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଉକ୍ତ ଯୁବକ ଦ୍ୱୟ ଦ୍ରୁତଗତିରେ ମୋଟରସାଇକେଲ ଚଳାଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ।
ଆକ୍ରମଣ ସମ୍ପର୍କରେ ଖବର ପାଇବା ମାତ୍ରେ ନିକଟବର୍ତ୍ତୀ ଶିବିରରୁ ସୁରକ୍ଷା ବାହିନୀର ଅତିରିକ୍ତ ପ୍ଲାଟୁନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ବଳ ସମଗ୍ର ଅଞ୍ଚଳକୁ ସିଲ୍ କରିବା ସହିତ ଉକ୍ତ ଆକ୍ରମଣକାରୀ ଯୁବକ ଓ ସେମାନେ ବ୍ୟବହାର କରିଥିବା ମୋଟରସାଇକେଲର ସନ୍ଧାନ ନେଉଛନ୍ତି। ଏହି ଘଟଣାରେ ଆହତ ହୋଇଥିବା ଯବାନମାନଙ୍କ ମଧ୍ୟରେ ସିଟି/ଜିଡି ରାକେଶ ଦାସ, ସନ୍ତୋଷ ଚନ୍ଦ୍ରୁ ଏବଂ ଏଚ୍ସି/ଜିଡି ସୋମବୀର ସିଂହ ରହିଛନ୍ତି। ଆହତ ଯବାନମାନଙ୍କ ମଧ୍ୟରୁ ରାକେଶ ଦାସଙ୍କ ଘର ଆସାମରେ ହୋଇଥିବା ବେଳେ ସନ୍ତୋଷ ଚନ୍ଦ୍ରୁଙ୍କ ଘର ପଶ୍ଚିମବଙ୍ଗ ଏବଂ ସୋମବୀର ସିଂହ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ସମସ୍ତ ଆହତ ଯବାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଉତ୍ତମ ଚିକିତ୍ସା ନିମନ୍ତେ ଜିଏମ୍ସି ଅନନ୍ତନାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି।
ଏହି ଘଟଣା ପରେ ସୁରକ୍ଷା ବଳ ଘଟଣାସ୍ଥଳ ସମେତ ଆଖପାଖର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରି ଦେଇଛନ୍ତି ଓ ଅପରାଧୀଙ୍କୁ କାବୁ କରିବା ପାଇଁ ଏକ ବଡ଼ ଧରଣର ମିଳିତ ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଦୁର୍ବୃତ୍ତମାନଙ୍କ ଗତିବିଧି ଚିହ୍ନଟ କରିବା ଉଦ୍ଦେଶ୍ୟରେ ଘଟଣାସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ଘଟଣାସ୍ଥଳରେ ସିଆର୍ପିଏଫ୍, ଜମ୍ମୁ-କାଶ୍ମୀର ପୋଲିସ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ହାଇ ଆଲର୍ଟ ଜାରି ରହିଛି।
