ରୁଙ୍ଗଟା କାରଖାନା ସମ୍ପ୍ରସାରଣ ପାଇଁ ଜନଶୁଣାଣିକୁ ବର୍ଜନ କଲେ ଅଞ୍ଚଳବାସୀ: ଉପଜିଲ୍ଲାପାଳଙ୍କୁ ଘେରାଉ କରି ମାଗିଲେ ହିସାବ

ରାଜ୍ୟ
Spread the love

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଝାଡ଼ବନ୍ଧସ୍ଥିତ ରୁଙ୍ଗଟା କାରଖାନା ନିଜର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ଆୟୋଜନ କରିଥିବା ଜନଶୁଣାଣିକୁ ସ୍ଥାନୀୟ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିଛନ୍ତି। କାରଖାନା କର୍ତ୍ତୃପକ୍ଷ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ବିଶୁଦ୍ଧ ପାନୀୟ ଜଳ ଆଦି ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏପରି ସ୍ଥିତିରେ କାରଖାନା ପକ୍ଷରୁ ପୁଣି ତୃତୀୟ ପର୍ଯ୍ୟାୟରେ ୨.୮୫ ଏମ୍‌ଟିପିଏ (MTPA) ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଲାଗି ବ୍ୟାପକ ଜମି ଅଧିଗ୍ରହଣ କରିବାକୁ ଯୋଜନା ଚାଲିଛି। ଏହାକୁ ନେଇ ପୂର୍ବରୁ ଜମି ହରାଇ ସର୍ବସ୍ୱାନ୍ତ ହୋଇଥିବା ଝାଡ଼ବନ୍ଧ, ଗାଲପଡ଼ା ଓ ତରକାବେଡ଼ା ଆଦି ଗ୍ରାମର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜୋରଦାର ବିରୋଧ କରିଛନ୍ତି।

ସୂଚନା ମୁତାବକ, ବୁଧବାର ଝାଡ଼ବନ୍ଧ ଗ୍ରାମର ଶନି ମନ୍ଦିର ପ୍ରାଙ୍ଗଣରେ ଏହି ଜନ ଅଭିଯୋଗ ଶୁଣାଣିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ କ୍ଷୁବ୍ଧ ଅଞ୍ଚଳବାସୀ ଘେରାଉ କରିବା ସହ ପୂର୍ବ ପ୍ରତିଶ୍ରୁତି ବାବଦରେ ଉତ୍ତର ମାଗିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ଜନଶୁଣାଣି ପ୍ରକ୍ରିୟାକୁ ଚାଲୁ ରଖିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। କାରଖାନା ପ୍ରତିଷ୍ଠା ହେବା ଦିନଠାରୁ ପାରିପାର୍ଶ୍ୱିକ ଉନ୍ନୟନ ତଥା ସ୍ଥାନୀୟ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଦିଗରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିବା ନେଇ ବିସ୍ଥାପିତ ଓ ଜମିହରା ଲୋକେ ଅଭିଯୋଗ ଉଠାଇଛନ୍ତି।

କାରଖାନା କର୍ତ୍ତୃପକ୍ଷ ନିଜର ପୂର୍ବ ପ୍ରତିଶ୍ରୁତିଗୁଡ଼ିକ ତୁରନ୍ତ ପାଳନ କରନ୍ତୁ ବୋଲି ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ଏହାସହ ଆମେ ଆଉ ଇଞ୍ଚେ ହେଲେ ଜାଗା କାରଖାନାକୁ ଦେବୁ ନାହିଁ ବୋଲି ଗ୍ରାମବାସୀ ସଫା ସଫା ମନା କରିଦେବାରୁ ଶେଷରେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଅନ୍ୟପକ୍ଷରେ, ଏହି ସମ୍ପର୍କରେ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଗଣମାଧ୍ୟମ ପକ୍ଷରୁ ପ୍ରତିକ୍ରିୟା ମଗାଯାଇଥିଲେ ମଧ୍ୟ ସେ କୌଣସି ମତାମତ ନଦେଇ ସେଠାରୁ ଚାଲିଯାଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *