ଓଡ଼ିଶା-ଜାପାନ ସମ୍ପର୍କରେ ଐତିହାସିକ ମାଇଲଖୁଣ୍ଟ: ଟୋଟୋରି ସହ ସ୍ୱାକ୍ଷରିତ ହେଲା ବନ୍ଧୁତା ଚୁକ୍ତି, ବଢ଼ିବ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ

ରାଜ୍ୟ
Spread the love

ଭୁବନେଶ୍ୱର, ୧୧।୧୧: ଓଡ଼ିଶା ଓ ଜାପାନ ମଧ୍ୟରେ ପାରସ୍ପରିକ ବନ୍ଧୁତ୍ୱର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଜାପାନର ପ୍ରସିଦ୍ଧ ଟୋଟୋରି ପ୍ରଦେଶ ସହିତ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ‘ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ’ (ବନ୍ଧୁତା ଚୁକ୍ତି) ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଟୋଟୋରି ପ୍ରଦେଶର ରାଜ୍ୟପାଳ ଶିଞ୍ଜି ହିରାଇଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ଐତିହାସିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ ଦ୍ୱିପାକ୍ଷିକ ସହଭାଗିତାକୁ ବ୍ୟବସ୍ଥିତ ଢାଞ୍ଚାରେ ଆଗକୁ ନେବା ଉଦ୍ଦେଶ୍ୟରେ ଦୁଇଟି ପ୍ରମୁଖ ପ୍ରତିଷ୍ଠାନଗତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ‘ଷ୍ଟାର୍ଟଅପ୍ ଓଡ଼ିଶା’ ଏବଂ ଟୋଟୋରିର ଶିଳ୍ପ ନିର୍ଦ୍ଦେଶକଙ୍କ ମଧ୍ୟରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବା ବେଳେ ‘ୱାର୍ଲ୍ଡ ସ୍କିଲ୍ ସେଣ୍ଟର’ (ଡବ୍ଲ୍ୟୁଏସ୍‌ସି) ଏବଂ ଟୋଟୋରି ପ୍ରଶାସନ ମଧ୍ୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପଦକ୍ଷେପ ଫଳରେ ଉଚ୍ଚଶିକ୍ଷା, ବୈଷୟିକ ଦକ୍ଷତା ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବା ସହିତ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ଲାଗି ନୂଆ ଦିଗନ୍ତ ଉନ୍ମୋଚିତ ହେବ। ବିଶେଷ କରି ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ନବସୃଜନ, ଗବେଷଣା ଏବଂ ଉନ୍ନତମାନର ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଅଞ୍ଚଳ ମଧ୍ୟରେ ଥିବା ସମ୍ପର୍କ ଆଗାମୀ ଦିନରେ ଆହୁରି ସୁଦୃଢ଼ ତଥା ଫଳପ୍ରଦ ହେବ ବୋଲି ବିଶେଷଜ୍ଞ ମହଲରେ ଆଶା ପ୍ରକାଶ ପାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବକ୍ତବ୍ୟ ରଖି କହିଛନ୍ତି ଯେ, ଭାରତ ଓ ଜାପାନ ମଧ୍ୟରେ ଥିବା ବହୁ ପୁରାତନ ସାଂସ୍କୃତିକ ତଥା କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଜି ଓଡ଼ିଶା ପକ୍ଷରୁ ଏକ ଦୃଢ଼ ତଥା ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା ଦ୍ୱାରା ଓଡ଼ିଶା ଏବଂ ଟୋଟୋରି ମଧ୍ୟରେ କେବଳ ସାଂସ୍କୃତିକ ଓ ଭାବଗତ ଆଦାନପ୍ରଦାନ ହେବ ତାହା ନୁହେଁ, ବରଂ ବାଣିଜ୍ୟିକ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ପାରସ୍ପରିକ ସହଯୋଗ ବ୍ୟାପକ ହେବ। ଏହାସହ ଷ୍ଟାର୍ଟଅପ୍ ଇକୋସିଷ୍ଟମ, ଯୁବ ଦକ୍ଷତା ବୃଦ୍ଧି ଏବଂ ଶିଳ୍ପ ପୁଞ୍ଜିନିବେଶ କ୍ଷେତ୍ରରେ ଏହି ଚୁକ୍ତି ଅସଂଖ୍ୟ ନୂତନ ସମ୍ଭାବନା ଓ ସୁଯୋଗ ସୃଷ୍ଟି କରିବ। ଆଗାମୀ ଦିନରେ ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସମଗ୍ର ଓଡ଼ିଶାର ସାମାଜିକ, ଆର୍ଥିକ ତଥା ଶିଳ୍ପ ବିକାଶକୁ ଏକ ନୂଆ ଦିଗ ଓ ଗତି ପ୍ରଦାନ କରିବ। ରାଜ୍ୟର ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି, ଅତ୍ୟାଧୁନିକ ଶିଳ୍ପ ପ୍ରତିଷ୍ଠା ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହି ଚୁକ୍ତିର ସୁଦୂରପ୍ରସାରୀ ତଥା ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *