ମାହାଙ୍ଗା, ୧୨/୧୧ (ଆପ୍ର): ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମ ଗ୍ରାମର ମୁରବୀ, ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି, ଷ୍ଟେଟ୍ ବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖାର ଅବସରପ୍ରାପ୍ତ କର୍ମଚାରୀ ତଥା ବିଶିଷ୍ଟ ସମାଜସେବୀ ଯଦୁନାଥ ନାୟକଙ୍କ ୭୯ ବର୍ଷ ବୟସରେ ଗୁରୁବାର ଭୋରରୁ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ବିୟୋଗ ଘଟିଥିବା ଜଣାପଡ଼ିଛି।
ଯଦୁନାଥଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଜ୍ୟେଷ୍ଠ ପୁତ୍ର ସଞ୍ଜୟ କୁମାର ନାୟକ ବାପାଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିବା ବେଳେ ଗ୍ରାମ୍ୟ ସ୍ମଶାନରେ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ଉପସ୍ଥିତିରେ ସ୍ୱର୍ଗତ ନାୟକଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା।
ତାଙ୍କ ଅନ୍ତିମ ଯାତ୍ରାରେ ପୁତ୍ର ସରୋଜ ନାୟକ, ଶିଶିର ନାୟକ, ଶ୍ରୀକାନ୍ତ ନାୟକ, ସମୀର ନାୟକ, ପୁତୁରା ଅନିଲ ନାୟକ, ଅଶ୍ୱିନୀ ନାୟକ, ଭାଇ ଅମର ନାୟକ, ଅଜୟ ନାୟକ, ଅଭୟ ନାୟକ, ଅକ୍ଷୟ ନାୟକ, ଭିଣୋଇ ତ୍ରିଲୋଚନ, ଜ୍ୱାଇଁ ଅନନ୍ତରାମ ମହାନ୍ତି, ମୀନକେତନ ପ୍ରଧାନ, ନିହାରରଞ୍ଜନ ସାମଲ ଏବଂ ଝିଅ ସସ୍ମିତା ପ୍ରଧାନ, ମାନସୀ ମହାନ୍ତି, ଅଭୀପ୍ସା ସାମଲ ଓ ମମତା ରାଉତରାୟ ପ୍ରମୁଖ ସାମିଲ ହୋଇ ଅଶ୍ରୁଳ ବିଦାୟ ଜଣାଇଥିଲେ।
ସେହିପରି ଜଣାଶୁଣା ଶବବାହକ ତଥା ସାମାଜିକ କର୍ମୀ ଅଖିଳେଶ ପଦ ମହାନ୍ତି, ଅଶୋକ ସ୍ୱାଇଁ, ରଞ୍ଜିତ ମହାନ୍ତି, ବିଚିତ୍ରାନନ୍ଦ ଲେଙ୍କା, ବିଦ୍ୟାଧର ନାୟକ, ଅରୁଣ ନାୟକ, ମୃତ୍ୟୁଞ୍ଜୟ ବିଶ୍ୱାଳ, ରଘୁନାଥ ବିଶ୍ୱାଳ, ସଞ୍ଜୟ ଭୂୟାଁ, ସୁଦର୍ଶନ ବିଶ୍ୱାଳ, କୁଳମଣି ବିଶ୍ୱାଳ, କାଙ୍ଗାଳି ବିଶ୍ୱାଳ ଓ ସରୋଜ ରାଉତ ପ୍ରମୁଖ ସ୍ୱର୍ଗତ ଯଦୁନାଥଙ୍କ ଅନ୍ତିମ ଯାତ୍ରାର ସାଥୀ ଭାବେ ସ୍ମଶାନରେ ପହଞ୍ଚି ଦାହ-ସତ୍କାର କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ।
ସ୍ୱର୍ଗତ ଯଦୁନାଥ ଥିଲେ ଜଣେ ଅତ୍ୟନ୍ତ ପରୋପକାରୀ, ମିଷ୍ଟଭାଷୀ, ସ୍ପଷ୍ଟବାଦୀ ଏବଂ ଆଧ୍ୟାତ୍ମିକବାଦୀ ମଣିଷ। ଗ୍ରାମର ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ଭାଜପା ନେତା ସୁମନ୍ତ କୁମାର ଘଡ଼େଇ, ସମାଜସେବୀ ଶୋଭନ କର, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା ଓ କଂଗ୍ରେସ ନେତା ମାସୁଦ ଅଲ୍ଲୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଏହାସହିତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷୀକେଶ ସ୍ୱାଇଁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକଙ୍କ ପ୍ରତିନିଧି ତ୍ରିନାଥ ଜେନା, ଗୁରୁଚରଣ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, କ୍ଷୀରୋଦ ପଣ୍ଡା, ଦିଗାମ୍ବର ବିଶ୍ୱାଳ, ଅଜୟ ଦାସ, ରବୀନ୍ଦ୍ର ପରିଡ଼ା, ଆଇନଜୀବୀ ଦୀପକ ମହାନ୍ତି, ଜନ୍ମେଜୟ ବଳ, ଦେବାଶିଷ ବିଶ୍ୱାଳ ଏବଂ ପ୍ରଶାନ୍ତ ସିଂ ପ୍ରମୁଖ ଅଡମ ଗ୍ରାମରେ ପହଞ୍ଚି ସ୍ୱର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
