ଦିନଦ୍ୱିପ୍ରହରରେ ଦୁର୍ବୃତ୍ତଙ୍କ ଆତଙ୍କ: ବୋଲେରୋ ଡୋର୍ ଖୋଲି ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ରାଜ୍ୟ
Spread the love

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଦିନଦ୍ୱିପ୍ରହରରେ ବଡ଼ ଧରଣର ଲୁଟ୍ ହୋଇଛି। ଗାଡ଼ିର ଡୋର୍ ଖୋଲି ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିବା ଏହି ଲୁଟ୍ ଘଟଣାକୁ ନେଇ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ନିକଟସ୍ଥ ମଳିପଡ଼ା ଗ୍ରାମର ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ବରାଳ ନିଜ କର୍ମଚାରୀ (ଷ୍ଟାଫ୍‌)ଙ୍କ ପାରିଶ୍ରମିକ ପ୍ରଦାନ କରିବା ପାଇଁ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ନିଜ ବୋଲେରୋ ଗାଡ଼ିରେ ରଖି ସେ ଘରକୁ ଫେରୁଥିଲେ। ତେବେ ଖୋର୍ଦ୍ଧା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ଗାଡ଼ି ରଖି ସେ ମିଠା କିଣିବାକୁ ଯାଇଥିବା ସମୟରେ ପୂର୍ବରୁ ପିଛା କରୁଥିବା ଦୁର୍ବୃତ୍ତମାନେ ସୁଯୋଗ ଦେଖି ବୋଲେରୋର ଡୋର୍ ଖୋଲି ଗାଡ଼ି ଭିତରେ ଥିବା ୫ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

ଏନେଇ ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ବରାଳ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ଦୋକାନ ବଜାରରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କ ସମ୍ପର୍କରେ ସୁରାକ୍ ଖୋଜୁଛି ପୋଲିସ। ତେବେ ଏହି ଲୁଟ୍ ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇଥିବା ନେଇ କୌଣସି ସୂଚନା ମିଳିନାହିଁ, ଏବଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *