ଖଡ଼ଗପୁର: ଏଣିକି କେବଳ ଇଞ୍ଜିନିୟରିଂ କିମ୍ବା ବୈଷୟିକ ଶିକ୍ଷା ନୁହେଁ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ଖଡ଼ଗପୁର ପଢ଼ାଇବ ଡାକ୍ତରୀ ପାଠ। IIT ଖଡ଼ଗପୁରର ମେଡିକାଲ୍ ପୋଷ୍ଟ ଗ୍ରାଜୁଏସନ୍ (PG) ପ୍ରୋଗ୍ରାମକୁ ମଞ୍ଜୁରୀ ଦେଇଛି ନ୍ୟାସନାଲ ମେଡିକାଲ୍ କମିଶନ (NMC)। ଏହା ସହିତ IIT ଖଡ଼ଗପୁର ଦେଶର ପ୍ରଥମ IIT ହୋଇଛି, ଯେଉଁଠି ମେଡିକାଲ୍ ପିଜି ପାଠ୍ୟକ୍ରମ ପଢ଼ାଯିବ। ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ୬ଟି ବିଭାଗରେ ଏମ୍ଡି (MD) ପାଠ୍ୟକ୍ରମ ଆରମ୍ଭ କରାଯାଉଛି। ତେବେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ଏହି ୬ଟି ବିଭାଗ ପାଇଁ ମୋଟ୍ ୧୨ଟି ସିଟ୍ ରହିଛି। ଅର୍ଥାତ୍ ପ୍ରତ୍ୟେକ ବିଭାଗରେ ମାତ୍ର ୨ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ।
୨୦୨୬ ମାର୍ଚ୍ଚରୁ ପଠାଇଥିଲା ପ୍ରସ୍ତାବ IIT ଖଡ଼ଗପୁର ମେଡିକାଲ୍ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ନ୍ୟାସନାଲ ମେଡିକାଲ୍ କମିଶନ (NMC) ନିକଟକୁ ପ୍ରସ୍ତାବ ପଠାଇଥିଲା। ସେହି ସମୟରୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପାଇଁ ଅପେକ୍ଷା କରାଯାଇଥିଲା। ଆଉ ଏବେ ଏନଏମସି (NMC) ପକ୍ଷରୁ IIT ଖଡ଼ଗପୁରର ମେଡିକାଲ୍ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ସମ୍ବନ୍ଧିତ ପ୍ରସ୍ତାବକୁ ବିଧିବଦ୍ଧ ମଞ୍ଜୁରୀ ମିଳିଛି। ଫଳରେ ଏବେ IIT ଖଡ଼ଗପୁର ମେଡିକାଲ୍ ପାଠ୍ୟକ୍ରମରେ ନିଜର ପ୍ରଥମ ବ୍ୟାଚ୍ ଆରମ୍ଭ କରିପାରିବ।
ଶିକ୍ଷାବର୍ଷ ୨୦୨୬-୨୭ରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଜାତୀୟ ଚିକିତ୍ସା ଆୟୋଗ (NMC)ର ମାନ୍ୟତା ମିଳିସାରିଛି। NEET-PG ୨୦୨୬ କାଉନସେଲିଂ ମାଧ୍ୟମରେ ଏହି ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ସମୟରେ ଆଶାୟୀ ଡାକ୍ତରମାନେ ନିଜ ପସନ୍ଦ ଅନୁସାରେ ଏହି ବିଭାଗଗୁଡ଼ିକୁ ବାଛିପାରିବେ। IIT ଖଡ଼ଗପୁର ପକ୍ଷରୁ ଆରମ୍ଭ ହୋଇଥିବା ଏହି ନୂଆ ପାଠ୍ୟକ୍ରମରେ ୬ଟି ବିଶେଷଜ୍ଞ ବିଭାଗ ଅନ୍ତର୍ଭୁକ୍ତ ରହିଛି। ସେଗୁଡ଼ିକ ହେଲା- MD ଜେନେରାଲ ମେଡିସିନ୍ରେ ୨ଟି ସିଟ୍, MD ରେଡିଓଲୋଜିରେ ୨ଟି ସିଟ୍, MD ଫିଜିଓଲୋଜିରେ ୨ଟି ସିଟ୍, MD ପାଥୋଲୋଜିରେ ୨ଟି ସିଟ୍, MD କମ୍ୟୁନିଟି ମେଡିସିନ୍ରେ ୨ଟି ସିଟ୍ ଏବଂ MD ବାୟୋକେମିଷ୍ଟ୍ରିରେ ୨ଟି ସିଟ୍। ଏହିପରି ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୨ ଜଣ ଡାକ୍ତର ଏଠାରେ ଉଚ୍ଚତର ଡାକ୍ତରୀ ଶିକ୍ଷା ଗ୍ରହଣ କରିବେ। ଏହା IIT ଖଡ଼ଗପୁରର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ପ୍ରଥମ ବ୍ୟାଚ୍ ହେବ।
ଡାକ୍ତରୀ ଶିକ୍ଷା ସହ ଯୋଡ଼ି ହେବ ଆଧୁନିକ ଜ୍ଞାନକୌଶଳ ଏହି ପାଠ୍ୟକ୍ରମର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏଠାରେ ଡାକ୍ତରୀ ଶିକ୍ଷା ସହିତ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଗବେଷଣାକୁ ବିଶେଷ ଗୁରୁତ୍ୱ ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI), ଇଞ୍ଜିନିୟରିଂ, ବାୟୋମେଡିକାଲ ସାଇନ୍ସ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି ସହ ଜଡ଼ିତ ଗବେଷଣା କରିବାର ସୁଯୋଗ ମଧ୍ୟ ମିଳିବ। ଏହାଦ୍ୱାରା ଭବିଷ୍ୟତରେ ଏପରି ଦକ୍ଷ ଡାକ୍ତର ତିଆରି ହୋଇପାରିବେ, ଯେଉଁମାନେ ରୋଗୀଙ୍କ ଚିକିତ୍ସା କରିବା ସହ ଚିକିତ୍ସା କ୍ଷେତ୍ରରେ ନୂଆ ଜ୍ଞାନକୌଶଳର ବିକାଶ ଏବଂ ଗବେଷଣାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ।
୧୯୫୧ରେ ଆରମ୍ଭ ହୋଇଥିଲା IIT ଖଡ଼ଗପୁର ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା IIT ଖଡ଼ଗପୁର ହେଉଛି ଦେଶର ପ୍ରଥମ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ। ଦୀର୍ଘ ୭୫ ବର୍ଷ ଧରି ଇଞ୍ଜିନିୟରିଂ, ବିଜ୍ଞାନ ଓ ବୈଷୟିକ ଗବେଷଣା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିବା ଏହି ପ୍ରତିଷ୍ଠିତ ଅନୁଷ୍ଠାନ ଏବେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନୂଆ ପାଦ ଦେଇଛି। ଅନୁଷ୍ଠାନର ଡକ୍ଟର ବି.ସି. ରାୟ ମଲ୍ଟି-ସ୍ପେଶାଲିଟି ମେଡିକାଲ ରିସର୍ଚ୍ଚ ସେଣ୍ଟରରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ NMCର ଅନୁମୋଦନ ମିଳିବା ପରେ ସମଗ୍ର IIT ବ୍ୟବସ୍ଥାରେ ପ୍ରଥମ ଥର ପାଇଁ MD ଭଳି ସ୍ନାତକୋତ୍ତର ଡାକ୍ତରୀ ଡିଗ୍ରୀ ପଢ଼ିବାର ଏକ ବିରଳ ସୁଯୋଗ ସୃଷ୍ଟି ହୋଇଛି।
