ମହାପ୍ରସାଦର ମର୍ଯ୍ୟାଦା ରକ୍ଷା ପାଇଁ କଡ଼ା ଆଭିମୁଖ୍ୟ: ବିକ୍ରେତାଙ୍କ ବିରୋଧରେ ଏତଲା ଦେଲା ଶ୍ରୀମନ୍ଦିର ପ୍ରଶାସନ

ରାଜ୍ୟ
Spread the love

ପୁରୀ, ୧୨।୧୧: ଆଉ ଶ୍ରୀମନ୍ଦିର ବାହାରେ ମହାପ୍ରସାଦର ମର୍ଯ୍ୟାଦାକୁ ଅବମାନନା କରାଯିବ ନାହିଁ। ଏନେଇ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୁଡ୍‌ରେ ରହିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ବାହାରେ ଖଲିପତ୍ରରେ ମହାପ୍ରସାଦ ବିକ୍ରି ଘଟଣାକୁ ନେଇ ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିବା ସହ ମହାପ୍ରଭୁ ଓ ଶ୍ରୀମହାପ୍ରସାଦ ପ୍ରତି ଅପମାନ ହୋଇଥିବା ନେଇ ଚାରିଆଡ଼େ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ଶ୍ରୀମନ୍ଦିର ପ୍ରଶାସନ ଆକ୍ସନ ମୁଡ୍‌କୁ ଆସିଛି ଏବଂ ସମ୍ପୃକ୍ତ ବିକ୍ରେତାଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ଏକ ଲିଖିତ ଏତଲା ଦାୟର କରିଛି। ଭକ୍ତଙ୍କ ପ୍ରବଳ ଗହଳିର ସୁଯୋଗ ନେଇ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରି କରାଯିବା ଘଟଣାକୁ ସମ୍ପୂର୍ଣ୍ଣ ନିୟମ ବିରୋଧୀ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ତେବେ ପବିତ୍ର କାର୍ତ୍ତିକ ମାସ ଶେଷ ହେବା ପରେ ଆନନ୍ଦବଜାରରେ ଶୃଙ୍ଖଳିତ ଭାବେ ମହାପ୍ରସାଦ ଓ ଶୁଖିଲି ଭୋଗ ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସେବକମାନଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଥିବା ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଆନନ୍ଦବଜାରରୁ ମହାପ୍ରସାଦ ଆଣିବା ପାଇଁ ଭକ୍ତମାନେ ଘଣ୍ଟାଘଣ୍ଟା ଧରି ବ୍ୟାରିକେଡ୍‌ରେ ଲମ୍ବା ଲାଇନ୍‌ରେ ଠିଆ ହୋଇ ହଇରାଣ ହେଉଛନ୍ତି। ଫଳରେ ଭକ୍ତମାନେ ବାଧ୍ୟ ହୋଇ ଦଲାଲ୍ କିମ୍ବା ବାହାର ବିକ୍ରେତାଙ୍କ ଠାରୁ ମହାପ୍ରସାଦ କିଣୁଥିବା ଦେଖିବାକୁ ମିଳୁଛି। ତେଣୁ ଭକ୍ତମାନେ ମହାପ୍ରସାଦ କିଭଳି ସୁରୁଖୁରୁରେ ଏବଂ କମ୍ ସମୟ ମଧ୍ୟରେ ପାଇପାରିବେ, ସେନେଇ ଏକ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ଆଇନଜୀବୀ ଶରତ ରାୟଗୁରୁ ମତବ୍ୟକ୍ତ କରିଛନ୍ତି।

ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପର୍ଯ୍ୟନ୍ତ ଆନନ୍ଦବଜାରରେ ମହାପ୍ରସାଦର ନିର୍ଦ୍ଧାରିତ ଦର ତାଲିକା ଲଗାଯାଇ ପାରିନାହିଁ। ସମୟ ଅନୁସାରେ ବଜାର ଦର ଓ ପରିବା ଦରକୁ ନଜର କଲେ ମହାପ୍ରସାଦର ଦର ପ୍ରାୟତଃ ଉପରତଳ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା କହିଛନ୍ତି। ତେଣୁ ଭକ୍ତଙ୍କ ଶୃଙ୍ଖଳିତ ମହାପ୍ରସାଦ ସେବନ ଓ କ୍ରୟ ସୁବିଧା ପାଇଁ ଆନନ୍ଦବଜାରରେ ଦର ତାଲିକା ନିହାତି ଲାଗିବା ଆବଶ୍ୟକ, କିନ୍ତୁ ବଜାର ସ୍ଥିତି ଓ ସମୟ କ୍ରମେ ମହାପ୍ରସାଦ ଦରରେ ପରିବର୍ତ୍ତନ ମଧ୍ୟ ହୋଇପାରେ ବୋଲି ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି।

Leave a Reply

Your email address will not be published. Required fields are marked *