ହ୍ୱାଇଟ୍ ହାଉସ୍ ନିକଟରେ ଭୟାବହ ଗୁଳିକାଣ୍ଡ: ଜଣେ ମୃତ, ୪ ଗୁରୁତର; ଅଭିଯୁକ୍ତକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଲୋଗାନ୍ ସର୍କଲ୍ ଅଞ୍ଚଳରେ ଗୁରୁବାର ସକାଳେ ୫ ଜଣଙ୍କୁ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ହ୍ୱାଇଟ୍ ହାଉସ୍‌ଠାରୁ ମାତ୍ର ୧.୬ କିଲୋମିଟର ଦୂରରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିକାଣ୍ଡ ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୁଲିସର ସୂଚନା ଅନୁସାରେ, ୧୫ତମ ଷ୍ଟ୍ରିଟ୍‌ର ୧୫୦୦ ବ୍ଲକ୍ ଅଞ୍ଚଳରେ ଏକାଧିକ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏହି ଅଞ୍ଚଳରେ ଥିବା ଏକ ଫିଟନେସ୍ ସେଣ୍ଟର ନିକଟରେ ମଧ୍ୟ ଗୁଳିମାଡ଼ ହୋଇଥିଲା। ଘଟଣା ସମୟରେ ଜିମ୍‌ରେ ପ୍ରାୟ ୫୦ ଜଣ ଲୋକ ଉପସ୍ଥିତ ଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜିମ୍ ଭିତରେ ହୋଇଥିବା ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଅନ୍ୟପଟେ ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ ନିକଟସ୍ଥ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଲୁଚି ରହିଥିବା ନେଇ ପୁଲିସକୁ ସୂଚନା ମିଳିଛି। ଖବର ପାଇ ପୁଲିସର ସ୍ୱାଟ୍ (SWAT) ଟିମ୍ ଏବଂ ଅନ୍ୟ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ତଦନ୍ତ ଓ ସୁରକ୍ଷା ଅଭିଯାନ ଚଳାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳ ନିକଟରେ ଥିବା ସମସ୍ତ ରାସ୍ତାଗୁଡ଼ିକୁ ସାଧାରଣ ଯାତାୟାତ ପାଇଁ ବନ୍ଦ କରିଦିଆଯାଇଛି। ଏହା ସହିତ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିକଟସ୍ଥ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତରେ ଆମେରିକାର ଏଫ୍‌ବିଆଇ (FBI) ଏବଂ ଏଟିଏଫ୍ (ATF) ସ୍ଥାନୀୟ ପୁଲିସକୁ ସହଯୋଗ କରୁଛନ୍ତି। ତେବେ ଏହି ଗୁଳିକାଣ୍ଡ ପଛର ପ୍ରକୃତ କାରଣ କ’ଣ ଏବଂ ସନ୍ଦିଗ୍ଧ ଅଭିଯୁକ୍ତର ପରିଚୟ କ’ଣ, ସେନେଇ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *