ଭୋପାଳ: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ରସଗୋଲା ବୋଲି କହି ଜଣେ ଯୁବକଙ୍କୁ ବୋମା ଦିଆଯାଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ମଧ୍ୟ ତାହାକୁ ମିଠା ଭାବି ପାଟିରେ ପୂରାଇବା ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାମ ରାଜେନ୍ଦ୍ର ବରୋଟିୟା ବୋଲି ଜଣାପଡ଼ିଛି। ଗତ ନଭେମ୍ବର ୧୦ ତାରିଖ ମଙ୍ଗଳବାର ରାତିରେ କୋତୱାଲି ଥାନା ଅନ୍ତର୍ଗତ ପଡାରିୟା ଗାଁରେ ଏହି ଅଘଟଣ ଘଟିଥିଲା। ସୂଚନା ଅନୁସାରେ, ରାଜେନ୍ଦ୍ର ନିଜ ଘରେ ବସିଥିବା ସମୟରେ ରାମ ଭଗତ ବରୋଟିୟା ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ରାମ ଭଗତ ତାଙ୍କୁ ଏକ ଦେଶୀ ବୋମା ଦେଇଥିଲେ। ସେ ଏହାକୁ ରସଗୋଲା ବୋଲି କହିଥିବା ଅଭିଯୋଗ ହୋଇଛି। ତେବେ ରାଜେନ୍ଦ୍ର ଏହାକୁ ମିଠା ଭାବି ପାଟିରେ ରଖିବା କ୍ଷଣି ସେଥିରେ ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ।
ରାଜେନ୍ଦ୍ରଙ୍କ ପତ୍ନୀ ସୁଶୀଳା ବାଇ କହିଛନ୍ତି ଯେ, ଏହା ଜୀବଜନ୍ତୁଙ୍କୁ ମାରିବା ପାଇଁ ବ୍ୟବହୃତ ହେଉଥିବା ଏକ ଦେଶୀ ବୋମା ଥିଲା। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ପରିବାର ଲୋକେ ପଡ଼ୋଶୀଙ୍କ ସହାୟତା ନେଇ ଗୁରୁତର ରାଜେନ୍ଦ୍ରଙ୍କୁ ତୁରନ୍ତ ଏକ ଅଟୋରିକ୍ସାରେ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। କୋତୱାଲି ଥାନା ଅଧିକାରୀ ଦୁର୍ଗା ପ୍ରସାଦ ନାଗପୁରେଙ୍କ କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ରାମ ଭଗତଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ରାତି ସମୟରେ ଅନ୍ଧାର ଥିବାରୁ ରାଜେନ୍ଦ୍ର ତାହା ବୋମା କି ରସଗୋଲା, ସେ ନେଇ ଠିକ୍ ଭାବେ ଚିହ୍ନିପାରି ନଥିଲେ। ଅନ୍ୟପଟେ ଏହି ଘଟଣା ପଛରେ ପୂର୍ବରୁ କୌଣସି ବ୍ୟକ୍ତିଗତ ଶତ୍ରୁତା ରହିଛି କି ନାହିଁ, ସେନେଇ ମଧ୍ୟ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
