ନୂଆଦିଲ୍ଲୀ, ୮/୧୦: ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ଅନ୍ୟ ସବୁ ଦେଶକୁ ଭାରତ ପଛରେ ପକାଇ ଦେଇଛି। ଏହା ଅନ୍ୟମାନଙ୍କଠାରୁ ଢେର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଉପଯୋଗିତା ବଢ଼ୁଥିବାରୁ ଭାରତୀୟ ଅର୍ଥନୀତି କ୍ଷୀପ୍ର ଗତିରେ ଦୌଡ଼ୁଛି। ତେଣୁ ଏହା ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିବ। ନିକଟରେ ଜିଏସ୍ଟିରେ କରାଯାଇଥିବା ସଂସ୍କାର ଅର୍ଥନୀତିକୁ ଆଗକୁ ବଢ଼ିବାରେ ସମର୍ଥନ କରିବ ବୋଲି ବିଶ୍ବବ୍ୟାଙ୍କ କହିଛି। ଏହା ନିଜର ସଦ୍ୟତମ ରିପୋର୍ଟରେ ଆକଳନ କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ। ଏହା ନିଜର ପୂର୍ବ ଆକଳନ ୬.୩ ପ୍ରତିଶତକୁ ବଦଳାଇ ଅଧିକ କରିଛି। କିନ୍ତୁ ୨୦୨୬-୨୭ରେ ଭାରତର ଅଭିବୃଦ୍ଧି ୬.୩ ପ୍ରତିଶତକୁ ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଭାରତର ଅର୍ଥନୀତି ମନ୍ଥର ହେବ ବୋଲି ଏହା କହିଛି। ଚଢ଼ା ଶୁଳ୍କ ପ୍ରଭାବରେ ଦେଶର ରପ୍ତାନି ପ୍ରଭାବିତ ହେବ। ସେଥିପାଇଁ ଅର୍ଥନୈତିକ ଅଭିବୃଦ୍ଧି କମିବ ବୋଲି ବିଶ୍ବବ୍ୟାଙ୍କ ଜଣାଇଛି।ରିପୋର୍ଟରେ କୁହାଯାଇଛି ଯେ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା, ବାଣିଜ୍ୟ ନୀତିକୁ ନେଇ ଅନିଶ୍ଚିତତା, ସାମାଜିକ-ରାଜନୈତିକ ଉତ୍ତେଜନା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବରେ ଶ୍ରମ ବଜାରରେ ଦେଖାଦେଇଥିବା ଅସ୍ଥିରତା ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରିବ।
