ପକେଟରେ ସମ୍ବିଧାନ ରଖିଥିବା ଭାବୁଥିବା ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା କଟାକ୍ଷ; କୃଷି ଅଭିବୃଦ୍ଧି ଓ ଦାରିଦ୍ର୍ୟ ଦୂରୀକରଣ ନେଇ ରଖିଲେ ତଥ୍ୟ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କାହାରି ନାଁ ନନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି ଯେ, କିଛି ଲୋକ ସମ୍ବିଧାନକୁ ନିଜ ପକେଟରେ ଧରି ବୁଲୁଛନ୍ତି ଏବଂ ସମ୍ବିଧାନ ସହ ଦେଶର ଜନତା ମଧ୍ୟ ସେମାନଙ୍କ ପକେଟରେ ଅଛନ୍ତି ବୋଲି ଭାବୁଛନ୍ତି। ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘କିସାନ ଟକ୍ ଭାରତ ଏଗ୍ରିକଲଚର କନଫରେନ୍ସ ୨୦୨୬’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି।

ପିଏମ୍ ମୋଦୀ ଆହୁରି କହିଛନ୍ତି ଯେ, ଆଜିକାଲି କିଛି ଲୋକ ସମ୍ବିଧାନକୁ ପକେଟରୁ ବାହାର କରି ବୁଲୁଛନ୍ତି। ସେମାନଙ୍କୁ ଲାଗୁଛି ଯେ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ସେମାନଙ୍କ ପକେଟରେ ରହିଛି। କ୍ଷମତାରେ ନଥିଲେ ମଧ୍ୟ ସେମାନଙ୍କ ଆଚରଣରେ କ୍ଷମତାର ନିଶା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହା ଏକ ଅଜବ ପ୍ରକାରର କ୍ଷମତା ନିଶା ବୋଲି ସେ ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି କଟାକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନ ପରେ ବିରୋଧୀ ଦଳର ନେତାମାନେ ହାତରେ ସମ୍ବିଧାନର କପି ଧରି ସଂସଦ ଭିତରେ ଓ ବାହାରେ ନିଜ କଥାକୁ ଦୃଢ଼ତାର ସହ ରଖିବାକୁ ଉଦ୍ୟମ କରୁଛନ୍ତି। ଲୋକସଭା ନିର୍ବାଚନ ବେଳେ ବିରୋଧୀ ଦଳ ପକ୍ଷରୁ ନାରା ଦିଆଯାଇଥିଲା ଯେ, ବିଜେପି ସରକାର ପୁଣିଥରେ କ୍ଷମତାକୁ ଆସିଲେ ସେମାନେ ଦେଶର ସମ୍ବିଧାନକୁ ବଦଳାଇ ଦେବେ। ଆଜିର ଏହି କାର୍ଯ୍ୟକ୍ରମରେ ପିଏମ୍ ମୋଦୀ ବିରୋଧୀଙ୍କ ଏହି ରାଜନୈତିକ ଟ୍ରେଣ୍ଡର କଡ଼ା ଜବାବ ଦେଇଛନ୍ତି।

ଏହି ଅବସରରେ ନିଜର ଗୁଜରାଟ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳର ଏକ ପୁରୁଣା ଘଟଣା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେହି ସମୟରେ ବିଭିନ୍ନ ରାଜ୍ୟର ଆର୍ଥିକ ପ୍ରଦର୍ଶନକୁ ନେଇ ରାଙ୍କିଂ ପ୍ରକାଶ ପାଉଥିଲା। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ଥିବା ଏକ ପ୍ରତିଷ୍ଠିତ ସଂସ୍ଥା ପକ୍ଷରୁ ପ୍ରକାଶିତ ରାଙ୍କିଂରେ ଗୁଜରାଟ ପ୍ରଥମ ସ୍ଥାନ ହାସଲ କରିଥିଲା। ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟକୁ ମିଳିଥିବା ଏହି ସମ୍ମାନ ଓ ସଫଳତାକୁ ତତ୍କାଳୀନ କେନ୍ଦ୍ର ସରକାର ସହଜରେ ଗ୍ରହଣ କରିପାରି ନଥିଲେ। ଏପରିକି ସମ୍ପୃକ୍ତ ଗବେଷକମାନଙ୍କୁ କୌଣସି ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଦେଶର କୃଷି କ୍ଷେତ୍ରର ବିକାଶ ସମ୍ପର୍କରେ ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଭାରତର କୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ୪ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ ହୋଇଛି। ଦେଶ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଏଭଳି ନିରନ୍ତର ଓ ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହା ସହିତ ବିଶ୍ୱବ୍ୟାଙ୍କ ରିପୋର୍ଟକୁ ଉଲ୍ଲେଖ କରି ମୋଦୀ ଦାବି କରିଛନ୍ତି ଯେ, ଗତ ୧୨ରୁ ୧୩ ବର୍ଷ ମଧ୍ୟରେ ଦେଶର ପ୍ରାୟ ୫୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହୋଇଛନ୍ତି। ଏହି ଦାରିଦ୍ର୍ୟ ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ଦେଶର କ୍ଷୁଦ୍ର ଚାଷୀ ଓ କୃଷି ଶ୍ରମିକମାନଙ୍କର ଏକ ବଡ଼ ସଂଖ୍ୟା ମଧ୍ୟ ସାମିଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *