ନୂଆଦିଲ୍ଲୀ, ୧୩।୧୧ : ମୋ ଫୋନ୍ ଟ୍ୟାପ୍ କରାଯାଉଛି ଏବଂ ମୋର ସମସ୍ତ କଥାବାର୍ତ୍ତା ଅନ୍ୟ କେହି ଶୁଣୁଛନ୍ତି । ଏପରି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ତାଙ୍କ ଫୋନ୍ ଉପରେ ନଜର ରଖାଯାଉଥିବା ଏବଂ ଏହାକୁ ଟ୍ୟାପ୍ କରାଯାଉଥିବା ନେଇ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ସମସ୍ତ ଅଭିଯୋଗର ପ୍ରମାଣ ତାଙ୍କ ଫୋନ୍ରେ ହିଁ ରହିଛି । ହେଲେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୟାପ୍ କରାଉଛନ୍ତି । ଯଦି ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ମୁହାଁମୁହିଁ ବିତର୍କ ହୁଏ, ତେବେ ଏହି ସମସ୍ତ ତଥ୍ୟ ଓ ସତ୍ୟତା ପ୍ରମାଣିତ ହୋଇଯିବ । କେବଳ ସେତିକି ନୁହେଁ, ବିଦେଶୀ ଶକ୍ତିର ନିର୍ଦ୍ଦେଶରେ କିଏ କାମ କରୁଛି ତାହା ମଧ୍ୟ ଦେଶବାସୀଙ୍କ ଆଗରେ ସ୍ପଷ୍ଟ ହୋଇଯିବ । ଏହାସହ କିଏ ଦେଶବିରୋଧୀ ଗତିବିଧିରେ ସାମିଲ ଅଛି, ତାହା ମଧ୍ୟ ଜଣାପଡ଼ିବ ବୋଲି ରାହୁଲ ଦାବି କରିଛନ୍ତି ।
ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଫୋନ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି, ଯାହା ସେ ଜାଣିଛନ୍ତି ଏବଂ ସେସବୁ ପ୍ରମାଣ ତାଙ୍କ ଫୋନ୍ରେ ସୁରକ୍ଷିତ ଅଛି । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ଯଦି ମୋଦୀ ତାଙ୍କ ସହ ମୁହାଁମୁହିଁ ବିତର୍କ କରନ୍ତି, ତେବେ ମୋଦୀ ଆଉ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ସେ କହିଛନ୍ତି । ଲୋକସଭାରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉ ନାହିଁ ଏବଂ ସେ କହିବା ସମୟରେ ତାଙ୍କର ମାଇକ୍ ବନ୍ଦ କରିଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, କୃଷି ଆଇନ, ଭୋଟ୍ ଚୋରି, ଏସ୍ଆଇଆର୍ (SIR), ଚୀନ୍ ପ୍ରସଙ୍ଗ, ଜେନେରାଲ ନରଓ୍ୱଣେ ଏବଂ ଏପଷ୍ଟିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସେ ଲୋକସଭାରେ ଉଠାଇଥିଲେ । ହେଲେ ଗୃହରେ ତାଙ୍କୁ ଏସବୁ ବିଷୟରେ କହିବାକୁ ଦିଆଯାଇ ନଥିଲା । ଏବେ କିନ୍ତୁ ସେ ସିଧାସଳଖ ଆଲୋଚନା କରିବାକୁ ଚାହୁଁଛନ୍ତି । ସେ ଗୋଟିଏ ଆସନରେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ଆସନରେ ବସି ମୁହାଁମୁହିଁ ବିତର୍କ କଲେ ଭଲ ହେବ । ଫଳରେ ଉଭୟ ପରସ୍ପରକୁ ସିଧାସଳଖ ପ୍ରଶ୍ନ ପଚାରିପାରିବେ ଏବଂ ଦେଶବାସୀ ସତ୍ୟ ଜାଣିପାରିବେ । ଏପରିକି ଏହି ବିତର୍କରେ ଯଦି ଗୌତମ ଆଦାନୀ କିମ୍ବା ମୋହନ ଭାଗବତଙ୍କୁ ବିଚାରପତି କରାଯାଏ, ତେବେ ମଧ୍ୟ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ଥର ମୋଦୀଙ୍କୁ ଏପରି ବିତର୍କ ପାଇଁ ଆହ୍ୱାନ କରିଛନ୍ତି, ମାତ୍ର ବିଜେପି ନେତାମାନେ ବିତର୍କକୁ ଡରୁଥିବା ରାହୁଲ ପ୍ରକାଶ କରିଛନ୍ତି ।
