ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଏକ ଭୟଙ୍କର ଆତ୍ମଘାତୀ କାର୍ ବିସ୍ଫୋରଣ ଘଟିଛି। ଏକ ସୁରକ୍ଷା ଚେକ୍ପୋଷ୍ଟକୁ ଟାର୍ଗେଟ୍ କରି କରାଯାଇଥିବା ଏହି ବିସ୍ଫୋରଣରେ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଆକ୍ରମଣକାରୀ ଏବଂ ୨ ଜଣ ସାଧାରଣ ନାଗରିକ ରହିଥିବା ଜଣାପଡ଼ିଛି।
ଶୁକ୍ରବାର ଜଣେ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ କାଣ୍ଡା ୱା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ଏହି ଅଞ୍ଚଳଟି ଜାତୀୟ ରାଜପଥ N-25 ନିକଟରେ ଅବସ୍ଥିତ। ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରକ ଭର୍ତ୍ତି ଏକ କାର୍ ଦ୍ରୁତଗତିରେ ଆସି ସୀମା ସୁରକ୍ଷା ବାହିନୀ ‘ଫ୍ରଣ୍ଟିୟର କର୍ପସ୍’ (FC)ର ଚେକ୍ପୋଷ୍ଟକୁ ଧକ୍କା ଦେଇଥିଲା। ଧକ୍କା ଦେବା ମାତ୍ରେ ଏକ ଭୟଙ୍କର ବିସ୍ଫୋରଣ ଘଟି ସମଗ୍ର ଅଞ୍ଚଳ ଥରି ଉଠିଥିଲା।
ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୩ ଜଣ ଆକ୍ରମଣକାରୀଙ୍କ ମଧ୍ୟରେ ମୁଖ୍ୟ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ସାମିଲ ଅଛି। ଏହା ବ୍ୟତୀତ ଅନ୍ୟ ଦୁଇଜଣ ନିରୀହ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଆହତଙ୍କ ମଧ୍ୟରେ ଫ୍ରଣ୍ଟିୟର କର୍ପସ୍ର କିଛି ଯବାନ ମଧ୍ୟ ରହିଛନ୍ତି। ବିସ୍ଫୋରଣ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି।
ତେବେ ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍’ରେ ବଲୁଚିସ୍ତାନ ପୁଲିସକୁ ଉଦ୍ଧୃତ କରି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆହତଙ୍କ ସଂଖ୍ୟା ୧୬ ହୋଇପାରେ। ଏହି ଆହତମାନଙ୍କ ମଧ୍ୟରେ ସୀମା ସୁରକ୍ଷା ବାହିନୀର ୩ ଜଣ ସଦସ୍ୟ ମଧ୍ୟ ଅଛନ୍ତି। ଏହି ଆତ୍ମଘାତୀ ଆକ୍ରମଣର ଦାୟିତ୍ୱ ନିଷିଦ୍ଧ ସଂଗଠନ ‘ବଲୁଚ୍ ଲିବରେସନ୍ ଆର୍ମି’ (BLA) ନେଇଥିବା ବେଳେ ସଂଗଠନ ପକ୍ଷରୁ ଆକ୍ରମଣକାରୀଙ୍କ ନାମ ଓସାମା ଶାହୱାନୀ ବୋଲି ଚିହ୍ନଟ କରାଯାଇଛି। ସେ ୨୦୨୨ ମସିହାରେ ଏହି ସଂଗଠନରେ ଯୋଗ ଦେଇଥିବା ମଧ୍ୟ ଦାବି କରାଯାଇଛି।
ଅନ୍ୟପକ୍ଷରେ ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଶାହୱାନୀଙ୍କ ନାମ ୨୦୨୪ ମସିହାରେ ଏକ ନିଖୋଜ ବ୍ୟକ୍ତି ସମ୍ପର୍କିତ ମାମଲାରେ ରହିଥିଲା। ବଲୁଚ୍ ଯୁବକମାନଙ୍କୁ ସଂଗଠନରେ ସାମିଲ କରିବା ଏବଂ ସେମାନଙ୍କ ନିଖୋଜ ହେବା ସମ୍ପର୍କରେ ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ଭ୍ରମିତ କରିବା ପାଇଁ ଏଭଳି ସୁଚିନ୍ତିତ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି।
ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଆକ୍ରମଣ ପଛରେ ଥିବା ବଡ଼ ଧରଣର ଷଡ଼ଯନ୍ତ୍ର ଏବଂ ଆକ୍ରମଣକାରୀଙ୍କ ଆତଙ୍କବାଦୀ ସଂଗଠନ ସହ ଥିବା ସମ୍ପର୍କକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି। ବଲୁଚିସ୍ତାନରେ ବାରମ୍ବାର ଘଟୁଥିବା ଏଭଳି ଆକ୍ରମଣ ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଣିଥରେ ଗମ୍ଭୀର ଚିନ୍ତା ବଢ଼ାଇଛି।
