କଟକ: ଓଡ଼ିଶା ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ଅବସର ଗ୍ରହଣ ପରେ ଚଳିତ ନଭେମ୍ବର ୧୬ ତାରିଖଠାରୁ ନୂତନ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିବେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ। ଆଜି ଶୁକ୍ରବାର ଦିନ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍ ଲ ଆଣ୍ଡ ଜଷ୍ଟିସ୍ ଡିପାର୍ଟମେଣ୍ଟ) ପକ୍ଷରୁ ପ୍ରକାଶିତ ଏକ ସରକାରୀ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆସନ୍ତା ୧୫ ତାରିଖରେ ନିଜ ପଦବୀରୁ ଅବସର ଗ୍ରହଣ କରିବାକୁ ଥିବା ବେଳେ ତାଙ୍କ ସ୍ଥାନରେ ଆସନ୍ତା ୧୬ ତାରିଖରୁ ଜଷ୍ଟିସ୍ ରାଉତରାୟ ଏହି ଗୁରୁଦାୟିତ୍ୱ ତୁଲାଇବେ। ଭାରତୀୟ ସମ୍ବିଧାନର ଧାରା ୨୨୩ ଅନୁଯାୟୀ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଥିବା ବେଳେ ଖୁବ୍ଶୀଘ୍ର ତାଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
