ଭୁବନେଶ୍ୱର: ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC)ଙ୍କ ନ୍ୟାୟସଙ୍ଗତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର କମିଶନ ଗଠନ କରିଛନ୍ତି।
ଭୁବନେଶ୍ୱର ସିଆରପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ପରିସରରେ କମିଶନ ନିଜର ଆନୁଷ୍ଠାନିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗଠନ ହେବା ପରଠାରୁ, ଏସଇବିସି ପ୍ରତିନିଧିତ୍ୱ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆକଳନ ପ୍ରକ୍ରିୟାର ପଦ୍ଧତି ଉପରେ ବିସ୍ତୃତ ବିଚାରବିମର୍ଶ କରିବା ପାଇଁ କମିଶନ ଏକାଧିକ ବୈଠକ ଅନୁଷ୍ଠିତ କରିସାରିଛନ୍ତି।
ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ଏସଇବିସି ବର୍ଗର ବାସ୍ତବ ପ୍ରତିନିଧିତ୍ୱ ଯାଞ୍ଚ କରିବା ଏବଂ ତୃଣମୂଳ ସ୍ତରୀୟ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ନିମନ୍ତେ ଆନୁପାତିକ ସଂରକ୍ଷଣର ଆବଶ୍ୟକତା ଆକଳନ କରିବା ଦାୟିତ୍ୱ ଏହି କମିଶନଙ୍କ ଉପରେ ନ୍ୟସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ କୁମାର ପୃଷ୍ଟିଙ୍କୁ କମିଶନର ସଦସ୍ୟ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ରଙ୍କୁ ଏହାର ସଦସ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ କମିଶନ ରାଜ୍ୟର ବିଭିନ୍ନ ବର୍ଗ ଓ ଅଂଶୀଦାରମାନଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବା ସହ ସରକାରଙ୍କୁ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।
