ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବଡ଼ ପଦକ୍ଷେପ: ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଶନି ଓ ରବିବାର ଖୋଲା ରହିବ ସମସ୍ତ କାର୍ଯ୍ୟାଳୟ

ରାଜ୍ୟ
Spread the love

ଛତ୍ରପୁର: ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହଜାର ହଜାର ପରିବାର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତ୍ତମାନ ବନ୍ୟା ପାଣି ଛାଡ଼ିଯାଇଥିଲେ ବି, ଲୋକେ ଏବେବି ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଏମିତିରେ ଏହି ଦୁର୍ଦ୍ଦିନ ସମୟରେ ବନ୍ୟା ବିପନ୍ନଙ୍କ ପାଖରେ ଠିଆ ହେବା ସହ ସେମାନଙ୍କ ଜନଜୀବନକୁ ସ୍ୱାଭାବିକ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି। ବାତ୍ୟା ଓ ବନ୍ୟା ପରବର୍ତ୍ତୀ ରିଲିଫ୍ ତଥା ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ ଆସନ୍ତା ନଭେମ୍ବର ୧୪ ଏବଂ ୧୫ ତାରିଖ (ଶନିବାର ଓ ରବିବାର) ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏହି ସରକାରୀ ଆଦେଶକୁ ଅବମାନନା କରି ଯେଉଁ କର୍ମଚାରୀମାନେ ଅନୁପସ୍ଥିତ ରହିବେ, ସେମାନଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି।

ବାତ୍ୟା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ ଏବଂ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜରୁରୀ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଏହା ପୂର୍ବରୁ ମଧ୍ୟ ରିଲିଫ୍ କାର୍ଯ୍ୟକୁ ଦୃଷ୍ଟିରେ ରଖି ନଭେମ୍ବର ୧ (ରବିବାର) ଏବଂ ନଭେମ୍ବର ୮ ତାରିଖ (ଦୀପାବଳି ଓ ରବିବାର) ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ, ସରକାରୀ ଉଦ୍ୟୋଗ, ପଞ୍ଚାୟତିରାଜ ସଂସ୍ଥା, ପୌରସଂସ୍ଥା, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ନିଜର ଗୋଟିଏ ଦିନର ଦରମା ସ୍ୱେଚ୍ଛାକୃତ ଭାବେ ଦାନ କରିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଆହ୍ୱାନ ଦେଇଥିଲେ। ଏହି ଅଭିଯାନରୁ ସଂଗୃହୀତ ସମସ୍ତ ଅର୍ଥ ବନ୍ୟା ବିପନ୍ନ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ସ୍ୱତନ୍ତ୍ର ଭାବେ ଗଠିତ ‘ଅର୍ଣ୍ଣବ ସହାୟତା ପାଣ୍ଠି, ଗଞ୍ଜାମ’ରେ ଜମା କରାଯିବ।

Leave a Reply

Your email address will not be published. Required fields are marked *