Weef

ଆମେରିକା ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ: କାନାଡା-ଚୀନ୍-ମେକ୍ସିକୋ ଏକଜୁଟ

ଦେଶବିଦେଶ
Spread the love

ୱାଶିଂଟନ/ଅଟୱା: ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଅଧିକ ଶୁଳ୍କ ଲାଗୁ କରିବା ପରେ ଏକ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରୁଡୋ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁର ଜବାବରେ ତାଙ୍କ ସରକାର ୧୫୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବେ।

ଏହା ସହିତ, ଟ୍ରୁଡୋ କାନାଡାର ଲୋକଙ୍କୁ ସ୍ୱଦେଶୀ ଉତ୍ପାଦ କିଣି ଦେଶ ଭିତରେ ଛୁଟିଦିନ ପାଳନ କରିବାକୁ ନିବେଦନ କରିଛନ୍ତି। ବହୁ ସଂଖ୍ୟକ କାନାଡା ନାଗରିକ ଛୁଟିଦିନ ପାଳନ କରିବା ପାଇଁ ଆମେରିକା ଯାତ୍ରା କରିଥାନ୍ତି। ଯାହା ଆମେରିକା ପାଇଁ ଆୟ ସୃଷ୍ଟି କରିଥାଏ।

ଏହି ସମୟରେ, ଚୀନ୍ ଶୁଳ୍କ ଲାଗୁ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡି୍ଲୁଟିଓ)କୁ ଯିବାକୁ ଧମକ ଦେଇଛି। ଚୀନ୍‌ର ବାଣିଜ୍ୟ ମନ୍ତ୍ରଣାଳୟ ଏହାକୁ ନିୟମର ଉଲ୍ଲଂଘନ ବୋଲି କହିଛି। ମନ୍ତ୍ରଣାଳୟ କହିଛି ଯେ, ଆମେରିକାର ଏକପାଖିଆ ଶୁଳ୍କ ବୃଦ୍ଧି ବିଶ୍ୱ ବାଣିଜ୍ୟ ସଂଗଠନ ନିୟମର ଏକ ବଡ଼ ଧରଣର ଉଲ୍ଲଂଘନ। ଚୀନ୍ କହିଛି, ଏହି ପଦକ୍ଷେପ  ଆମେରିକାର ନିଜସ୍ୱ ସମସ୍ୟାର ସମାଧାନ କରିବାରେ ବିଫଳ ହେବା ସହିତ ଚୀନ୍-ଆମେରିକାର ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗକୁ ମଧ୍ୟ ବାଧା ଦେବ।

ଶନିବାର ଦିନ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଶୁଳ୍କ ଘୋଷଣା କରିଥିଲେ। ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ସେ କାନାଡା ଏବଂ ମେକ୍ସିକୋ ବିରୁଦ୍ଧରେ ୨୫% ଶୁଳ୍କ ଏବଂ ଚୀନ ବିରୁଦ୍ଧରେ ଅତିରିକ୍ତ ୧୦% ଶୁଳ୍କ ଲାଗୁ କରିବେ। ଟ୍ରମ୍ପ ଏଥିପାଇଁ ‘ଅବୈଧ ବିଦେଶୀ’ ଏବଂ ‘ଡ୍ରଗ୍ସ ଚାଲାଣ’ର ବିପଦକୁ ଉଲ୍ଲେଖ କରିଥିଲେ।

ଟ୍ରମ୍ପଙ୍କ ଘୋଷଣା ପରେ, କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି, ମୁଁ ଘୋଷଣା କରୁଛି ଯେ, ଆମେ ୧୫୫ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇ ଆମେରିକାର ବାଣିଜ୍ୟ କାର୍ଯ୍ୟାନୁଷ୍ଠାନର ଜବାବ ଦେବୁ।

ସେ କହିଛନ୍ତି, ଆମେରିକାର ଶୁଳ୍କ ପରି, ଆମର ପ୍ରତିକ୍ରିୟା ସୁଦୂରପ୍ରସାରୀ ହେବ ଏବଂ ଏଥିରେ ଆମେରିକୀୟ ବିୟର, ମଦ ଏବଂ ବର୍ବନ୍, ଫଳ ଏବଂ ଫଳ ରସ, କମଳା ରସ ସହିତ ପନିପରିବା, ସୁଗନ୍ଧିତ ଦ୍ରବ୍ୟ, ପୋଷାକ ଏବଂ ଜୋତା ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ହେବ।
ଏଥିରେ ଘରୋଇ ଉପକରଣ, ଫର୍ଣ୍ଣିଚର ଏବଂ କ୍ରୀଡା ଉପକରଣ ଭଳି ପ୍ରମୁଖ ଗ୍ରାହକ ଉତ୍ପାଦ, କାଠ ଏବଂ ପ୍ଲାଷ୍ଟିକ ଭଳି ସାମଗ୍ରୀ ଏବଂ ଅନ୍ୟାନ୍ୟ ଅନେକ ସାମଗ୍ରୀ ଅନ୍ତର୍ଭୁକ୍ତ ହେବ।

ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାନ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରିଛନ୍ତି। ତାଙ୍କ ପ୍ରଶାସନର ଅପରାଧିକ ସଂଗଠନ ସହିତ ସମ୍ପର୍କ ରହିଛି ବୋଲି ଆମେରିକାର ଅଭିଯୋଗକୁ ସେନବାନ ଖଣ୍ଡନ କରିଛନ୍ତି। ସେ ଆମେରିକାର ଅସ୍ତ୍ରଶସ୍ତ୍ର ବ୍ୟବସାୟୀମାନଙ୍କୁ ଅବୈଧ ଗୋଷ୍ଠୀଗୁଡ଼ିକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା ଅଭିଯୋଗ କରିଥିଲେ।

ସେନବାନ ଜୋର ଦେଇ କହିଛନ୍ତି ଯେ, ଯଦି କୌଣସି ସମ୍ପର୍କ ଅଛି, ତେବେ ତାହା ଯୁକ୍ତରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଶିଳ୍ପରେ ଅଛି, ଯାହା ଏହି ଅପରାଧୀ ଗୋଷ୍ଠୀଗୁଡ଼ିକୁ ଉଚ୍ଚ-ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକ୍ରି କରେ, ଯେପରି ଆମେରିକାର ନ୍ୟାୟ ବିଭାଗ ନିଜେ ଏହି ବର୍ଷ ଜାନୁଆରିରେ ନିଶ୍ଚିତ କରିଥିଲା।’ ସେନବାନ ରବିବାର ଘୋଷଣା କରିଛନ୍ତି ଯେ, ସେ ତାଙ୍କ ଅର୍ଥନୀତି ମନ୍ତ୍ରୀଙ୍କୁ ଆମେରିକାର ଶୁଳ୍କର ପାଲଟା ଜବାବରେ ଶୁଳ୍କ ଏବଂ ଅଣ-ଶୁଳ୍କ ପଦକ୍ଷେପ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *